ଆଜି ପଞ୍ଚଭୂତରେ ଲୀନ ହେବେ ମିହିର ଦାସ୍, ଦିଆଯିବ ’ଗାର୍ଡ ଅଫ ଅନର’

କଟକ: ଆଜି ପଞ୍ଚଭୂତରେ ଲୀନ ହେବେ ଭର୍ସାଟାଇଲ୍ ଆକ୍ଟର ମିହିର ଦାସ । କଟକସ୍ଥିତ ସତୀଚଉରା ଶ୍ମଶାନରେ ହେବ ଶେଷକୃତ୍ୟ । ସକାଳ ସାଢେ ୮ଟାରେ ବାସଭବନରୁ ମିହିରଙ୍କର ମରଶରୀରକୁ ଶ୍ମଶାନ ଅଭିମୁଖେ ନିଆଯିବ । ସେଠାରେ ମିହିର ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ଶେଷକୃତ୍ୟ ସମ୍ପର୍ନ୍ନ ହେବ । ଗତକାଲି ଅପରାହ୍ନରେ ସମସ୍ତଙ୍କୁ କନ୍ଦାଇ ସେପାରିକୁ ଚାଲିଯାଇଥିଲେ ଓଡ଼ିଆ ସିନେ ଜଗତର ବେତାଜ ବାଦଶାହ ମିହିର ଦାସ । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟ ହୋଇଥିଲା । ଏକାଧିକ ରୋଗରେ ପୀଡିତ ଥିଲେ ମିହିର ।

୧୯୫୯ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ସେ ଜନ୍ମ ହୋଇଥିଲେ । ହିରୋ, ଭିଲେନ୍, କମେଡିଆନ ସବୁ ଅଭିନୟରେ ମାହିର୍ ଥିଲେ ମିହିର । ୧୨୦ରୁ ଅଧିକ ଫିଲ୍ମ ଓ ଅନେକ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ ମିହିର ଦାସ । ୧୯୭୯ ମସିହାରେ ସିନେମା ମଥୁରା ବିଜୟରୁ ଫିଲ୍ମ ଜଗତରେ ପାଦ ଥାପିଥିଲେ ଏହି ଅଭିନେତା । ଗତକାଲି ବାସଭବନରେ ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ସାଥୀ କଳାକାର ଓ ବହୁ ବିଶିଷ୍ଟ ବ୍ୟକ୍ତି । ମିହିର ଦାସଙ୍କ ଅକାଳ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

 

 

Leave a Reply