ପର ରାଇଜରୁ ଘରକୁ ଫେରିଲେ ପ୍ରବାସୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର: ଉତ୍ତରପୂର୍ବରୁ ଓଡ଼ିଶା ଫେରିଲେ ପ୍ରବାସୀ ଓଡ଼ିଆ । ଦୁଇଟି ବିମାନରେ ସେମାନଙ୍କୁ ଅଣାଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପାଖାପାଖି ୩୦୦ ଜଣ ବିମାନରେ ଓଡ଼ିଶା ଫେରୁଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ତ୍ରିପୁରା, ମଣିପୁର, ନାଗାଲାଣ୍ଡ, ଆସାମ ଏବଂ ମେଘାଳୟରେ ଫସିରହିଥିବା ପ୍ରବାସୀ ଓଡ଼ିଆ, ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡ଼ିଶା ଫେରୁଛନ୍ତି । ଆଜି ଗୋଟିଏ ଦିନରେ ଦୁଇଟି ସ୍ୱତନ୍ତ୍ର ବିମାନରେ ଫେରିଛନ୍ତି ପ୍ରବାସୀ । ପ୍ରଥମ ବିମାନରେ ମଣିପୁରରୁ ମୋଟ ୧୩୮ ଜଣ ପ୍ରବାସୀ ଆସିଥିବା ବେଳେ ଦ୍ୱିତୀୟ ବିମାନରେ ତ୍ରିପୁରାରୁ ୨୯ ଜଣ ଛାତ୍ରଛାତ୍ରୀ ଓ ୩୨ ଜଣ ପ୍ରବାସୀ ଫେରିଛନ୍ତି । ସେହିପରି ଆସାମରୁ ଆସୁଛନ୍ତି ୭୨, ନାଗାଲାଣ୍ଡରୁ ୨୨ ଜଣ ଓ ଇମ୍ଫାଲରୁ ୧୪ ଜଣ ପ୍ରବାସୀ ଶ୍ରମିକ ।

ପ୍ରଥମ ପର୍ଯ୍ୟାୟରେ ମଣିପୁରରୁ ସ୍ୱତନ୍ତ୍ର ବିମାନରେ ୧୩୮ ଜଣ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ସର୍ବାଧିକ ୧୨୬ ଜଣ ଥିବା ବେଳେ ଯାଜପୁରରୁ ୭, ଖୋର୍ଦ୍ଧା ଓ ଭଦ୍ରକରୁ ୨ଜଣ ଲେଖାଏଁ ଏବଂ ମୟୂରଭଞ୍ଜରୁ ଜଣେ ପ୍ରବାସୀ ଥିଲେ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଏହାପରେ ସ୍ୱତନ୍ତ୍ର ବସ୍‌ ଯୋଗେ ନିଜ ନିଜ ଜିଲ୍ଲାକୁ ରାଜ୍ୟ ସରକାର ବସରେ ପଠାଇଥିଲେ । ପ୍ରବାସୀଙ୍କୁ ବିମାନ ବନ୍ଦରରେ ବିଧାୟକ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକଙ୍କ ସହ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ସ୍ୱାଗତ କରିଥିଲେ ।

କିଏ ରୋଜଗାର ଅନ୍ୱେଷଣରେ ତ ଆଉ କିଏ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ । ହେଲେ ଲକ୍‌ଡାଉନ୍‌ରେ ଫସି ଯାଇଥିଲେ ଏମାନେ । ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଯୋଗୁଁ ଓଡିଶା ଫେରିବା ରାସ୍ତା ବନ୍ଦ ହୋଇଯାଇଥିଲା । ଦୁଃଖକଷ୍ଟରେ ଥିବା ପ୍ରବାସୀ ଓଡ଼ିଶା ଫେରିବା ପାଇଁ ରାଜ୍ୟ ସରକାରଙ୍କୁ କରିଥିଲେ ଆକୁଳ ନିବେଦନ । ସରକାରଙ୍କ ପଦକ୍ଷେପ ଯୋଗୁଁ ଆଜି ନିଜ ଘରେ ପହଞ୍ଚିବାର ସୁଯୋଗ ପାଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଖାସ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରବାସୀ ।

Leave a Reply