ଦିବ୍ୟାଙ୍ଗ ପୁଅ ପାଇଁ ସାଇକେଲ ଚୋରି କଲେ ବାପା,ଭାଇରାଲ ହେଉଛି ଚିଠି

ଭତରପୁର(ରାଜସ୍ଥାନ): କରୋନା ମୁକାବିଲା ପାଇଁ ଲାଗୁ ଲକଡାଉନ୍ ଦେଶର ଶ୍ରମିକଙ୍କ ପାଇଁ ଦୁଃଖର ପାହାଡ ହୋଇଛି । ହଜାର ହଜାର ମାଇଲ ରାସ୍ତା ସେମାନଙ୍କୁ ଖାଲି ପେଟରେ ଖାଲି ପାଦରେ ଅତିକ୍ରମ କରିବାକୁ ପଡୁଛି । ରାସ୍ତାରେ ଶ୍ରମିକଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡୁଛି । ପ୍ରବାସୀ ଶ୍ରମିକଙ୍କ ପଳାୟନ ସହ ଜଡିତ ଗୋଟିଏ ଘଟଣା ରାଜସ୍ଥାନର ଭରତପୁରରେ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣାକୁ ଯିଏ ଶୁଣୁଛି ଓ ପଢୁଛି ତା’ର ଆଖି ଓଦା ହୋଇଯାଉଛି । ଭରତପୁରରେ ଜଣେ ପ୍ରବାସୀ ଶ୍ରମିକ ଜଣେ ବ୍ୟକ୍ତିଙ୍କ ସାଇକେଲ ନେଇଯାଇଛନ୍ତି ଓ ପଛରେ ଛାଡିଯାଇଛନ୍ତି ଗୋଟିଏ ଚିଠି । ସାଇକେଲ ଚୋରି କରିବା କାରଣ କଥା ଏହି ଚିଠିରେ କୁହାଯାଇଛି । ଏହା ସହ ସେ ସାଇକେଲ ମାଲିକଙ୍କୁ କ୍ଷମା ମାଗିଛନ୍ତି ।

ଜଣେ ଅସହାୟ ପିତାଙ୍କ କାହାଣୀ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚିଠିରେ ଶ୍ରମିକ ଜଣକ ସାଇକେଲ ମାଲିକଙ୍କୁ ନମସ୍କାର କରି ସମ୍ବୋଧନ କରିଛନ୍ତି । ଲେଖିଛନ୍ତି ଯେ, ‘‘ମୁଁ ଆପଣଙ୍କ ସାଇକେଲ୍ ନେଇକରି ଯାଉଛି । ପାରିବେ ଯଦି ମୋତେ କ୍ଷମା କରିବେ କାରଣ ମୋ ପାଖରେ ଘରକୁ ଯିବାର ଅନ୍ୟକୌଣସି ବିକଳ୍ପ ନାହିଁ । ମୋର ଗୋଟିଏ ପିଲା ଅଛି । ଯିଏ ବିକଳାଙ୍ଗ ,ତା’ପାଇଁ ମୋତେ ଏମିତି କରିବାକୁ ପଡିଲା । ସେ ଚାଲିପାରେ ନାହିଁ । ଆମକୁ ବରେଲି ପର୍ଯ୍ୟନ୍ତ ଯିବାକୁ ପଡିବ । ଆପଣଙ୍କ ଦୋଷୀ,ଜଣେ ଶ୍ରମିକ । ଚିଠିରୁ ସ୍ପଷ୍ଟ ହେଉଛି ଯେ, କେମିତି ଜଣେ ପିତାଙ୍କୁ ନିଜ ଅସହାୟ ପୁଅ ପାଇଁ ଏଭଳି ପଦକ୍ଷେପ ନେବାକୁ ପଡିଲା ।

ସାଇକେଲ ମାଲିକ ଖୁସୀ

ଭରତପୁର ନିବାସୀ ସାଇକେଲ ମାଲିକଙ୍କ ମନରେ ଚିଠି ପାଇବା ପରେ କୌଣସି ଦୁଃଖ ନାହିଁ । ସାହେବ ସିଂହ ନାମକ ଏହି ବ୍ୟକ୍ତିଙ୍କ କହିବା ହେଉଛି ସକାଳୁ ସକାଳୁ ସାଇକେଲ୍ ଗାଏବ ହେବା ପରେ ଚୋରି ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ପିଣ୍ଢାରେ ପଡିଥିବା ଚିଠିରୁ ଜଣା ପଡିଥିଲା ଯେ, ଜଣେ ଅସହାୟ ବ୍ୟକ୍ତି ସାଇକେଲକୁ ନେଇଛନ୍ତି । ତେଣୁ ଏବେ କୌଣସି ଦୁଃଖ ନାହିଁ । ମୁଁ ଖୁସୀ ଯେ, ସାଇକେଲ ସତରେ କାହାରି କାମରେ ଆସିଲା । ସାହେବ ସିଂହଙ୍କ ଅନୁସାରେ ଘର ବାରଣ୍ଡାରେ ସାଇକେଲ ସହ ଆହୁରି ବହୁତ କିଛି ଥିଲା କିନ୍ତୁ ସେହି ବ୍ୟକ୍ତି ଜଣକ କେବଳ ସାଇକେଲ ନେଇ ଯାଇଥିଲେ ।

Leave a Reply