ଘରକୁ ଫେରିବାର ବ୍ୟାକୁଳତା : କେଉଁଠି ଲାଠି ଖାଇଲେ ତ’ କେଉଁଠି ପଥର ଫୋପାଡିଲେ

ନୂଆଦିଲ୍ଲୀ: କରୋନା ଭାଇରସ ମହାସଂକଟ ମଧ୍ୟରେ ଦେଶବ୍ୟାପି ଲକଡାଉନ୍ ଲାଗୁ ଅଛି । ଯାହାର ସବୁଠୁ ଅଧିକ ପ୍ରଭାବ ଦେଶର ଶ୍ରମିକଙ୍କ ଉପରେ ପଡିଛି । ରୋଜଗାର ନାହିଁ ଘରକୁ ଫେରିବା ପାଇଁ ସାଧନ ନାହିଁ । ଏମିତିରେ ମୁଠାଏ ଦାନା ପାଇଁ ବିକଳ ଶ୍ରମିକ ନିଜ ଘରମୁହାଁ ହୋଇଛନ୍ତି । କିଏ ସାଇକେଲରେ ଘରକୁ ବାହାରିଛି ତ’ କିଏ ପାଦରେ ହଜାର ହଜାର କିଲୋମିଟର ଅତିକ୍ରମ କରିବାକୁ ରାସ୍ତା ଉପରକୁ ଓହ୍ଲାଇଛି । ଏହାରି ଭିତରେ ଦେଶର ବିଭିନ୍ନ ସ୍ଥାନରୁ ଘରକୁ ଫେରିବା ପାଇଁ ଶ୍ରମିକ ରାସ୍ତା ଉପରକୁ ଓହ୍ଲାଇଛନ୍ତି । ସରକାରଙ୍କ ପାଖରେ ସେମାନଙ୍କର ଗୋଟିଏ ଦାବି ଆମକୁ ଘରକୁ ଯିବାକୁ ଦିଅ । ଦେଶର ବିଭିନ୍ନ ସ୍ଥାନରୁ ଏମିତି ଚିତ୍ର ସବୁ ଆସିଛି ଯାହା ବିଚଳିତ କରିବା ଭଳି..

ମହାରାଷ୍ଟ୍ର

ମହାରାଷ୍ଟ୍ରର ମୁମ୍ବାଇରେ ପୁଣିଥରେ ପ୍ରବାସୀ ଶ୍ରମିକଙ୍କ କ୍ରୋଧ ଫୁଟିଛି । ମୁମ୍ବାଇର ନାଗପଡା ଅଂଚଳରେ ଶତାଧିକ ସଂଖ୍ୟାରେ ଶ୍ରମିକ ସଡକ ଉପରକୁ ଆସି ହଙ୍ଗାମା କରିଛନ୍ତି । ବେଲାସିସ୍ ରୋଡ ପାଖରେ ଶ୍ରମିକ ଏକାଠି ହୋଇଥିଲେ । ଉତ୍ତର ପ୍ରଦେଶର ଏହି ପ୍ରବାସୀ ଶ୍ରମିକ ସେମାନଙ୍କୁ ଘରକୁ ପଠାଇବା ପାଇଁ ସରକାର ଉଦ୍ୟମ କରନ୍ତୁ ବୋଲି ଦାବି କରିଥିଲେ । କିନ୍ତୁ ଭିଡ ବଢିବାରୁ ପୋଲିସ ଶ୍ରମିକଙ୍କ ଉପରେ ଲାଠି ଚାର୍ଜ୍ କରିଥିଲା । ଲାଠିଚାର୍ଜ୍ ପରେ ଶ୍ରମିକ ରାସ୍ତାରୁ ହଟିଥିଲେ ।

ଗୁଜୁରାଟ

ଅନ୍ୟପକ୍ଷରେ ଗୁଜୁରାଟର କଚ୍ଛରେ ମଧ୍ୟ ପ୍ରବାସୀ ଶ୍ରମିକ ହଙ୍ଗାମା କରିଛନ୍ତି । କଚ୍ଛର ଗାନ୍ଧିଧାମରେ ହଜାର ହଜାର ଶ୍ରମିକ ସଡକ ଉପରେ ଏକାଠି ହୋଇଥିଲେ । ସେମାନେ ହାଇୱେ ବ୍ଲକ୍ କରିଥିଲେ । ପୋଲିସ ଭିଡ ହଟାଇବା ପାଇଁ ଲାଠିଚାର୍ଜ କରିଥିଲା । ଯବାବରେ ଶ୍ରମିକଙ୍କ ପଟୁ ପଥରମାଡ ହୋଇଥିଲା । ଶ୍ରମିକଙ୍କ ଅଭିଯୋଗ ହେଉଛି ଯେ, ସେମାନେ ଟ୍ରେନ୍ ଟିକେଟ୍ ପାଇଁ ଟଙ୍କା ଦେଇଥିଲେ ମଧ୍ୟ ଟ୍ରେନର ବ୍ୟବସ୍ଥା ହୋଇନାହିଁ ।

ଉତ୍ତର ପ୍ରଦେଶ

ଉତ୍ତର ପ୍ରଦେଶର ସାହରନପୁରରେ ବିହାର ଫେରୁଥିବା ଶ୍ରମିକ ହଙ୍ଗାମା କରିଥିଲେ । ହରିଆନାରୁ ବାହାରି ସୀମା ଉପରେ ଏକାଠି ହୋଇଥିବା ଶ୍ରମିକଙ୍କ ଅଭିଯୋଗ ହେଉଛି ଯେ, ସେମାନଙ୍କୁ କାରଖାନା ମାଲିକ ଘରକୁ ଫେରିଯିବାକୁ କହୁଛନ୍ତି କିନ୍ତୁ ବିହାର ସରକାରଙ୍କ ପକ୍ଷରୁ ଏନେଇ କୌଣସି ମଧ୍ୟ ବ୍ୟବସ୍ଥା କରାଯାଇ ନାହିଁ । ଏହାପରେ ଶ୍ରମିକଙ୍କୁ ସ୍ଥାନୀୟ ସେଲଟର ହୋମକୁ ନିଆଯାଇଥିଲା ।

ପଞ୍ଜାବ

ପଞ୍ଜାବର ଭଟିଣ୍ଡାରେ ଶହ ଶହ ସଂଖ୍ୟାରେ ଶ୍ରମିକ ରେଳ ଷ୍ଟେଶନରେ ପହଂଚିଥିଲେ । ଷ୍ଟେଶନରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ବାହାରୁଥିବା ଖବର ପାଇ ଏହି ଶ୍ରମିକ ସେଠାରେ ଜମା ହୋଇଥିଲେ । କିନ୍ତୁ ସେଠାରୁ କୌଣସି ଟ୍ରେନ୍ ବାହାରୁ ନଥିବା ଦେଖି ପୁଣି ଅଟକି ଥିବା ସ୍ଥାନକୁ ଫେରି ଯାଇଥିଲା ।

Leave a Reply