ଇସ୍ରାଏଲର ବୋମା ମାଡ଼ରେ ଗାଜାରେ ଅଲ୍ ଜଜିରାର ୫ ସାମ୍ବାଦିକଙ୍କ ମୃତ୍ୟୁ

1 min read

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ଆକ୍ରମଣରେ ଅଲ୍ ଜଜିରାର ୫ ସାମ୍ଵାଦିକଙ୍କ ମୃତ୍ୟୁ । ଗାଜାରେ ସେମାନେ ରିପୋର୍ଟିଂ କରୁଥିବା ବେଳେ ସେମାନଙ୍କର ଟେଣ୍ଟ ଉପରେ ବୋମାମାଡ଼ କରିଥିଲା ଇସ୍ରାଏଲ । ଏଥିରେ ପୂରା ଟେଣ୍ଟ ଧ୍ଵଂସ ହୋଇଥିବା ବେଳେ ୫ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ସାମ୍ବାଦିକ ଅନସ୍ ଅଲ୍ ସରିଫ ।

ଅଲ୍-ଶିଫା ହସ୍ପିଟାଲର ମୁଖ୍ୟ ଫାଟକ ବାହାରେ ଏକ ତମ୍ଵୁରେ ରହି ଏମାନେ ଗାଜା ଯୁଦ୍ଧର ରିପୋର୍ଟିଂ କରୁଥିଲେ । ଅଠେଇଶ ବର୍ଷୀୟ ଅଲ-ଶରିଫ ତାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ସୋସିଆଲ ମିଡିଆ X ରେ ଏକ ପୋଷ୍ଟ କରିଥିଲେ । ଏଥିରେ ଗାଜା ସିଟିରେ ଇସ୍ରାଏଲୀ ବୋମାମାଡ଼କୁ ସେ ତୀବ୍ର ନିନ୍ଦା କରିଥିଲେ । ଏହାସହ ତାଙ୍କ ପୋଷ୍ଟରେ ସେ ଉଲ୍ଲେଖ କରିଥିଲେ, ‘ଯଦି ମୋର ଏହି କଥାଗୁଡ଼ିକ ଆପଣଙ୍କ ପାଖରେ ପହଞ୍ଚେ, ତେବେ ଜାଣି ରଖିବେ ଯେ ଇସ୍ରାଏଲ ମୋତେ ହତ୍ୟା କରିପାରେ ଏବଂ ମୋ ସ୍ୱରକୁ ବନ୍ଦ କରିବାରେ ସଫଳ ହୋଇଛି ।

ସୂଚନାଯୋଗ୍ୟ, ଗାଜାରେ ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କ ମଧ୍ୟରୁ ଅଲ-ଶରିଫ ସବୁଠୁ ବେଶି ପରିଚିତ ଥିଲେ । ୨୨ ମାସରେ ଗାଜା ଯୁଦ୍ଧରେ ଇସ୍ରାଏଲ ୨୦୦ରୁ ଅଧିକ ସାମ୍ଵାଦିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେପଟେ ଇସ୍ରାଏଲ ପକ୍ଷରୁ ଅନିସଙ୍କୁ ଆତଙ୍କବାଦୀର ଆଖ୍ୟା ଦିଆଯାଇଛି । ସେ ହମାସର କମାଣ୍ଡର ଭାବେ କାମ କରୁଥିଲେ ବୋଲି କୁହାଯାଇଛି । ଗାଜାରେ ଏହି ସାମ୍ଵାଦିକଙ୍କ ହତ୍ୟାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।