ଗୃହମନ୍ତ୍ରାଳୟର ଜରୁରୀ ବୈଠକ, ହିଂସା ଘଟଣାକୁ ସବୁଠୁ ନିନ୍ଦା

ନୂଆଦିଲ୍ଲୀ: ଅନୁମତି ମିଳିଥିବା ରୋଡ ପରିବର୍ତ୍ତେ ଅନ୍ୟ ରାସ୍ତାରେ ବାହିରିଥିଲା ଟ୍ରାକ୍ଟର ପରେଡ । ସାଧାରଣତନ୍ତ୍ର ଦିବସର ସୁଯୋଗ ନେଇ ଶାନ୍ତି ପ୍ରିୟ ଆନ୍ଦୋଳନ ନାମରେ ସୃଷ୍ଟି ହୋଇଥିଲା ଅଶାନ୍ତି । ରାଜଧାନୀ ଦିଲ୍ଲୀରେ ଆଜି ଘଟିଥିବା ଏଭଳି ହିଂସାକାଣ୍ଡକୁ ନେଇ ଜରୁରୀ ବୈଠକ ଡାକିଛି ଗୃହମନ୍ତ୍ରାଳୟ । ସେପଟେ ଦିଲ୍ଲୀରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିଷ୍ପତି ନେଇଛି ଗୃହ ବିଭାଗ ।

ଆନ୍ଦୋଳନରତ ସଂଗଠନକୁ ଟ୍ରାକ୍ଟର ପରେଡ ପାଇଁ ଅନୁମତି ଦେଇଥିଲା ଦିଲ୍ଲୀ ପୋଲିସ । ଶାନ୍ତି ଶୃଙ୍ଖଳାର ସହ ପଦର୍ଶନ କରାଯିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା ସଂଗଠନ । କିନ୍ତୁ ରାଜଧାନୀରେ ଅଶାନ୍ତି ସ୍ଥିତି ସୃଷ୍ଟି ହେବା ସହ ବ୍ୟାପକ ହିଂସା କାଣ୍ଡ ମଧ୍ୟ ଘଟାଇଛନ୍ତି ଆନ୍ଦୋଳନକାରୀ । ଫଳରେ ଦିଲ୍ଲୀରେ ଦେଖିବାକୁ ମିଳିଛି ଆଇନଶୃଙ୍ଖଳା ପରିସ୍ଥିତି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀ ବୈଠକ ଡାକିଛି ଗୃହ ମନ୍ତ୍ରାଳୟ । ଲାଲକିଲ୍ଲାରେ ମଧ୍ୟ ହିଂସା ଘଟାଇଥିବା କୃଷକ ସଂଯୁକ୍ତ କିଷାନ ମୋର୍ଚ୍ଚାର ନିର୍ଦେଶ ମିଳିବା ପରେ ସିଙ୍ଘୁ ବର୍ଡରକୁ ଫେରୁଥିବା ଜଣାପଡିଛି ।

ସେପଟେ ପବିତ୍ର ଗଣତନ୍ତ୍ର ଦିବସରେ ଏଭଳି ହିଂସାକାଣ୍ଡକୁ ବିରୋଧ କରିଛନ୍ତି ଅନେକ ରାଜନୈତିକ ସଂଗଠନ ସହ ବିଶିଷ୍ଟ ବ୍ୟକ୍ତି । ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଦିଲ୍ଲୀ ଘଟଣାକୁ ବିରୋଧ କରିଛନ୍ତି । ହିଂସାତ୍ମକ ପ୍ରଥା କେବେ ସମାଧାନର ବାଟ ନୁହେଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ସେହିପରି ଆନ୍ଦୋଳନର ଡାକରା ଦେଇଥିବା ସଂଯୁକ୍ତ କୃଷକ ମୋର୍ଚ୍ଚା ମଧ୍ୟ ହିଂସା ଘଟଣାକୁ ନିନ୍ଦା କରିଥିବା ପ୍ରେସ ବାର୍ତ୍ତା ଜରିଆରେ ଜଣାଇଛି ।

Leave a Reply