‘ଘରେ ବସି ଚାକିରି’ ନାଁରେ ବଢୁଛି ଠକେଇ ମାମଲା, ଚେତାବନୀ ଦେଲେ କେନ୍ଦ୍ର ସରକାର

1 min read

ନନ୍ଦିଘୋଷ ବ୍ୟୁରୋ: ‘ଘରେ ବସି ଚାକିରି’ ନାଁରେ ବଢୁଛି ଠକେଇ ମାମଲା  । କେନ୍ଦ୍ର ସରକାର ଦେଲେ ଚେତାବନୀ  । ୧୦୦ରୁ ଅଧିକ ୱେବସାଇଟକୁ ବନ୍ଦ କରିଦିଆଯାଇଛି  । ଏହି ୱେବସାଇଟ ଅର୍ଗାନାଇଜଡ ଇନଭେଷ୍ଟମେଣ୍ଟ ଓ ଟାସ୍କ ବେସଡ ପାର୍ଟ ଟାଇମ ଜବ୍‌ ଫ୍ରଡ୍‌ କାମରେ ସମ୍ପୃକ୍ତ ଅଛି  । ଏହି ୱେବସାଉଟ ଗୁଡିକ ବେଆଇନ ପୁଞ୍ଜି ନିବେଶ ସମ୍ବନ୍ଧିତ ଅର୍ଥନୈତିକ ଅପରାଧରେ ସାମିଲ ଥିଲେ  । ଗୃହ ମନ୍ତ୍ରାଳୟ ଏକ ପ୍ରେସ ରିଲିଜ ଜାରି କରି କହିଛି ଯେ ଏଭଳି ୱେବସାଇଟ ବିଦେଶରୁ ପରିଚାଳନା କରାଯାଉଥିଲା  । ସେମାନେ ଡିଜିଟାଲ ଆଡଭରଟାଇଜମେଣ୍ଟ, ଚାଟ୍‌ ମେସେଞ୍ଜର ଭଡାରେ ଆଣି ବ୍ୟବହାର କରୁଥିଲେ  ।

କେନ୍ଦ୍ର କହିଛି କେମିତି ଏହି ସ୍କାମରୁ ବର୍ତ୍ତିପାରିବେ  । ଅଧିକ କମିଶନ ଦେଉଥିବା କୌଣସି ଅନଲାଇନ ଯୋଜନାରେ ଟଙ୍କା ଲଗାଇବା ପୂର୍ବରୁ ପ୍ରଥମେ ଏ ସମ୍ପର୍କରେ ବୁଝିନିଅନ୍ତୁ  । ଯଦି କେହି ଅଜ୍ଞାତ ବ୍ୟକ୍ତି ଆପଣଙ୍କ ହ୍ବାଟସଆପ ବା ଟେଲିଗ୍ରାମରେ ସମ୍ପର୍କ କରୁଛନ୍ତି ବିନା ଭେରିଫିକେସନରେ ଟଙ୍କା ନେଣଦେଣ କରିବା ଠୁ ବଞ୍ଚନ୍ତୁ । କେନ୍ଦ୍ର କହିଛି ଯେ ସବୁବେଳେ ୟୁପିଆଇ ଆପ୍‌ରେ ଦିଆଯାଇଥିବା ଦଶ ନମ୍ବର ବିଶିଷ୍ଟ ରିସିଭରର ନାମ ଭେରିଫାଏ କରିବା ଉଚିତ । ଯଦି ରିସିଭରର ନମ୍ବର ସନ୍ଦେହଜନକ ଲାଗୁଛି ତେବେ ନିଶ୍ଚିତ ହୋଇଯିବେ ଯେ ଏହା ସାଇବର ଠକର କରାମତି ।

ଅଜ୍ଞାତ ନମ୍ବର ବା ଆକାଉଣ୍ଟରେ ନେଣଦେଣ କରିବା ଠୁ ଦୂରେଇ ରୁହନ୍ତୁ । କାରଣ ଏହା ମନି ଲଣ୍ଡ୍ରିଂ ବା ଆତଙ୍କ ଫଣ୍ଡିଂରେ ସାମିଲ ହୋଇଥାଇପାରେ  । ଏଭଳି ଆକାଉଣ୍ଟକୁ ପୋଲିସ ବ୍ଲକ୍‌ କରିପାରେ ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ବି ନେଇପାରେ  । ଠକ ବ୍ୟବହାର କରୁଥିବା ଫୋନ ନମ୍ବର ଓ ସୋସିଆଲ ମିଡିଆ ହ୍ୟାଣ୍ଡେଲର ରିପୋର୍ଟ ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ www.cybercrime.gov.in  ରେ ବି ଅଭିଯୋଗ କରିପାରିବେ  ।