ମେଟ୍ରୋ ପ୍ରକଳ୍ପକୁ ନେଇ କଂଗ୍ରେସର ହଲ୍ଲାବୋଲ
ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପକୁ ନେଇ କଂଗ୍ରେସର ହଲ୍ଲାବୋଲ । ବ୍ଳାକ ଲିଷ୍ଟେଡ କମ୍ପାନୀକୁ କାମରୁ ଅନ୍ତର କରିବାକୁ ଦାବି । ରିଟେଣ୍ଡର କରି ନୂଆ ସ୍ବଚ୍ଛ କମ୍ପାନୀକୁ ଦିଅ ଦାୟିତ୍ବ । ଗୁଜୁରାଟୀ କମ୍ପାନୀ ବୋଲି ରାଜ୍ୟ ସରକାର ଦେଖାଇଛନ୍ତି ଅନୁକମ୍ପା । କାମ ଯଦି କରିପାରୁନ ତେବେ ୨୪ ବର୍ଷର ନବୀନ ସରକାରଠୁ ଶିଖ କହି କଟାକ୍ଷ କଲେ ଯୁବ କଂଗ୍ରେସ ନେତା । ଟେଣ୍ଡର ବାତିଲ ନ ହେଲେ ଠିକା ସଂସ୍ଥାକୁ କାମ କରାଇ ନ ଦେବାକୁ ଚେତାବନୀ । ଭୁବନେଶ୍ବରବାସୀଙ୍କୁ ମେଟ୍ରୋ ସୁବିଧା ଯୋଗାଇ ଦେବାକୁ ତତ୍କାଳୀନ ନବୀନ ସରକାର ଉଦ୍ୟମ ଆରମ୍ଭ କରିଥିଲେ । କେନ୍ଦ୍ର ସରକାର ନୁହେଁ କେବଳ ରାଜ୍ୟ ସରକାରଙ୍କ ଅର୍ଥରେ ଏହି ପ୍ରକଳ୍ପ ଠିଆ କରିବାକୁ ନବୀନ ଘୋଷଣା କରିଥିଲେ । କିନ୍ତୁ ନୂଆ ସରକାର ଆସିବା ପରେ କଳା ତାଲିକାଭୁକ୍ତ ଠିକା କମ୍ପାନୀ ରଞ୍ଜିତ ବିଲ୍ଡକନ କୁ ଟେଣ୍ଡର ଦେଇଦେଲେ । ବିଭିନ୍ନ ରାଜ୍ୟରେ କମ୍ପାନୀ ନାଁରେ ମାଳମାଳ ମାମଲା ଥିବା ବେଳେ ରାଜ୍ୟ ବିଜେପି ସରକାର କିଭଳି ଜାଣିପାରିଲେନାହିଁ ସେ ନେଇ ପ୍ରଶ୍ନ କରିଛି ଦଳ । ପ୍ରତିବାଦରେ ପ୍ରକଳ୍ପ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।
ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ଏୟାରପୋର୍ଟରୁ ରାଜମହଲ, ମାଷ୍ଟରକ୍ୟାଣ୍ଟିନ୍, ରାମମନ୍ଦିର, ରୂପାଲି ଛକ ଦେଇ ଚନ୍ଦ୍ରଶେଖରପୁର ରାସ୍ତାରେ କାମ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ କମ୍ପାନୀ ପକ୍ଷରୁ ବ୍ୟାରିକେଟିଂ କରି ମାଟିଖୋଳା ଚାଲିଛି । କିନ୍ତୁ ଏହି କମ୍ପାନୀ ମେଟ୍ରୋ କାମ କରିବା ପାଇଁ କେତେ ଦକ୍ଷ ସେନେଇ ପ୍ରଶ୍ନ କରିଛି କଂଗ୍ରେସ । ରଞ୍ଜିତ ବିଲ୍ଡକନ୍ ବିଜେପିକୁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଇଲେକ୍ଟ୍ରୋରାଲ ବଣ୍ଡ ଦେଇଛି । ସେଥିପାଇଁ ବିଜେପି ନେତାଙ୍କ ପ୍ରରୋଚନାରେ ରାଜ୍ୟ ସରକାର କଳାତାଲିକା ଭୁକ୍ତ କମ୍ପାନୀକୁ କାମ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି ।