ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି: ୮ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଆଲର୍ଟ

1 min read

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା । ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଲଘୁଚାପ ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ଏହା ସହିତ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଆଜି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରକୁ ସତର୍କ ସୂଚନା ଜାରି କରାଯାଇଛି । ଏହା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଅନୁଗୁଳ ଆଦି ଜିଲ୍ଲାରେ ମଧ୍ୟ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ପରେ ବର୍ଷା କମିବା ସହିତ କେତେକ ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି । ଅନ୍ୟପଟେ ରାଜ୍ୟରେ ଏବେ ଯାଏ ୬୩୦ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ସମୟରେ ୮୯୬ ମିଲିମିଟର ବର୍ଷା ହେବା କଥା । ରାଜ୍ୟରେ ଏବେ ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି । ୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୩ଟି ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ଓହରିଲେ ଆମେରିକୀୟ ସେନା: ତାଲିବାନି କବ୍‌ଜାରେ କାବୁଲ ବିମାନ ବନ୍ଦର

Leave a Reply