୧୧ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କଲା ‘ମେଟା’

1 min read

ନୂଆଦିଲ୍ଲୀ: ଟ୍ବିଟର ପରେ ଫେସବୁକରେ ବଡ଼ ଧରଣର ଛଟେଇ । ଗୋଟିଏ ଝଟକାରେ ଚାଲିଗଲା ୧୧ ହଜାର କର୍ମଚାରୀଙ୍କ ଚାକିରି । ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ବୁଧବାର ୧୧ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି । ଏନେଇ ନିଜେ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି । କମ୍ପାନୀ ଉପରେ ଆର୍ଥିକ ବୋଝ ବଢୁଥିବା କହି କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି । ଏହାସହ ଛଟେଇ କର୍ମଚାରୀଙ୍କୁ ୪ ମାସର ଦରମା ଦିଆଯାଇଛି ।

ମେଟା ଚିଫ୍ ଏକଜିକ୍ୟୁଟିଭ ଜୁକରବର୍ଗ ଏକ ବ୍ଲାଗ ଜରିଆରେ କହିଛନ୍ତି, ‘ଆଜି ମୁଁ ମେଟା ଇତିହାସରେ କରାଯାଇଥିବା ସବୁଠାରୁ କଠିନ ନିଷ୍ପତ୍ତି ସମ୍ପର୍କରେ କହିବାକୁ ଯାଉଛି । ଆମେ ଆମ ଟିମର ସାଇଜ୍ ୧୩ ପ୍ରତିଶତ କମା କରିବାକୁ ନିଷ୍ପତ୍ତି ନେଇଛୁ । ଏଥିପାଇଁ ୧୧ ହଜାର ପ୍ରତିଭାବାନ କର୍ମଚାରୀଙ୍କ ଚାକିରି ଯାଉଛି ।’ ଫେସବୁକ ସମେତ ହ୍ବାଟ୍ସଆପ ଓ ଇନଷ୍ଟାଗ୍ରାମର କର୍ମଚାରୀ ମଧ୍ୟ ଛଟେଇରେ ଅଛନ୍ତି ।

ଖବର ଅନୁସାରେ, ଲେ-ଅଫ୍ ସମ୍ପର୍କରେ ଗୋଟିଏ ଦିନ ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ଜଣାଇ ଦିଆଯାଇଥିଲା । ଏହି ସୂଚନା କର୍ମଚାରୀଙ୍କୁ ନିଜେ ଜୁକରବର୍ଗ ଦେଇଥିଲେ ।

ଛଟେଇ ନିଷ୍ପତ୍ତିକୁ ନେଇ ମଙ୍ଗଳବାର ବସିଥିବା ବୈଠକରେ ଜୁକରବର୍ଗ ନିରାଶ ଦିଶୁଥିଲେ । ଏଥିରେ ସେ କହିଥିଲେ, କମ୍ପାନୀର ଭୁଲ ପଦକ୍ଷେପ ପାଇଁ ସେ ଦାୟୀ । ଆଗକୁ ଅଧିକ ବଢ଼ିବା ଆଶାରେ ଅଧିକ ନିଯୁକ୍ତି ହୋଇଛି ।

ସୂଚନାଯୋଗ୍ୟ, ୨୦୦୪ରେ ଜୁକରବର୍ଗ ଫେସବୁକର ସ୍ଥାପନା କରିଥିଲେ । ପରେ ଏହାର ନାଁ ବଦଳାଇଯାଇ ମେଟା ରଖାଯାଇଥିଲା । ବର୍ତ୍ତମାନ ଏଥିରେ ୮୭ ହଜାର କର୍ମଚାରୀ କାମ କରୁଛନ୍ତି । ୧୮ ବର୍ଷର ଯାତ୍ରାରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରାଯାଇଛି ।