ଫେବୃଆରୀରେ ୩୯ଂ ଟପିଲା ତାପମାତ୍ରା: ମାର୍ଚ୍ଚରେ ସଙ୍ଗୀନ ହେବ ସ୍ଥିତି

1 min read

ଭୁବନେଶ୍ୱର: ମାଘ ମାସରେ ଆରମ୍ଭ ହେଲାଣି ବୈଶାଖର ତାତି । ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା ଉପରମୁହାଁ ।  । ଆଗାମୀ ୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆହୁରି ୩- ୪ ଡିଗ୍ରୀ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଫେବ୍ରୁଆରୀ ମାସରେ ୩୯.୪ ଡିଗ୍ରୀ ତାପମାତ୍ରା ହେବା ତୃତୀୟ ସର୍ବାଧିକ ରେକର୍ଡ । ମାର୍ଚ୍ଚ ମାସରେ ସ୍ଥିତି ଆହୁରି ସଂଗୀନ ହେବ । କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସହ ହିଟ୍ଓ୍ୱେଭ୍ ସ୍ଥିତିର ଆଶଙ୍କା ଅଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ  କମ୍ ଥିବା ବେଳେ ମେଘମୁକ୍ତ ଆକାଶ ଯୋଗୁ ତାପମାତ୍ରା ବଢୁଛି ।

ଅନ୍ୟପକ୍ଷରେ  ଖରା ପାଇଁ ଖୁବଶୀଘ୍ର ହେବ ମର୍ଣ୍ଣିଂ ସ୍କୁଲ । ଏ ନେଇ ଗାଇଡଲାଇନ ଜାରି କରଛନ୍ତି ଗଣଶିକ୍ଷା ବିଭାଗ । ଦିନକୁ ଦିନ ଖରା ତାତି ବଢୁଥିବାରୁ ସ୍କୁଲ ପାଇଁ ଗାଇଡଲାଇନ ଜାରି ହୋଇଛି । ସକାଳ ୮ଟା ୩୦ ପରିବର୍ତ୍ତେ ୭ଟାରୁ ଆରମ୍ଭ ହେବ ସ୍କୁଲ । ନବମ ଓ ଏକାଦଶ ଶ୍ରେଣୀ ୭ଟାରୁ ୯ଟା ଯାଏଁ ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ୧୧ଟାରୁ ୪ଟା ପରିବର୍ତ୍ତେ ୯ରୁ ୧ଟା ଯାଏଁ କରାଯିବ ।

ସେହିପରି ସମସ୍ତ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ପାଇଁ DEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଆରଏସ୍ ବ୍ୟବସ୍ଥା ମଧ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲର ଅଚଳ ନଳକୂପ ସଜାଡିବାକୁ ମଧ୍ୟ ପରାମର୍ଶ ଦେଇଛି ଗଣଶିକ୍ଷା ବିଭାଗ । ସ୍କୁଲ ବସ ସେବା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସବୁଠି କୋଭିଡ ନିୟମ କଡାକଡ଼ି ପାଳନ ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ପିଲାଙ୍କୁ ପାଣି ବୋତଲ ଦେବାକୁ ଅଭିଭାବକଙ୍କୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଜିଲ୍ଲାପାଳ ଓ ଏସପିଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ, କୋଭିଡ୍ ସଂକ୍ରମଣ ରୋକିବାକୁ ନିଅ ପଦକ୍ଷେପ

Leave a Reply