ସ୍ବପ୍ନରେ ରହିଗଲା ଭାରତର ଅଲିମ୍ପିକ୍ସ ଫାଇନାଲ ସ୍ବପ୍ନ

1 min read

ନୂଆଦିଲ୍ଲୀ : ପୁଣିଥରେ ହାତଛଡ଼ା ହୋଇଗଲା ସୁଯୋଗ । ଟୋକିଓ ଭଳି ପ୍ଯାରିସରେ ବି ଫାଇନାଲର ଗୋଟିଏ ପାଦ ଆଗରୁ ହାରିଗଲା ଟିମ୍ ଇଣ୍ଡିଆ । ପ୍ଯାରିସ ଅଲିମ୍ପିକ୍ସ ସେମିଫାଇନାଲ ମୁକାବିଲାରେ ଜର୍ମାନୀଠାରୁ ୩-୨ ଗୋଲରେ ହାରି ବ୍ରୋଞ୍ଜ ଲଢେଇ କରିବାକୁ ପ୍ରସ୍ତୁତ ହୋଇଛି ଭାରତ । ଗତକାଲି ଆୟୋଜିତ ସେମିଫାଇନାଲ ମୁକାବିଲାରେ ପ୍ରଥମ କ୍ବାର୍ଟରରୁ ହିଁ ଭାରତକୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳୁଥିବା ଦେଖିବାକୁ ମିଳିଥିଲା ।

ଦ୍ବିତୀୟ ମିନିଟରେ ଭାରତ ପାଇଁ ପ୍ରଥମ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ହାର୍ଦ୍ଦିକ ସିଂହ। ସପ୍ତମ ମିନିଟ୍ରେ ହର୍ମନପ୍ରୀତ୍ ପ୍ରଥମ ଗୋଲ୍ ଦେଇଥିଲେ । ପ୍ରଥମ କ୍ବାର୍ଟରକୁ ଭାରତ ୧-୦ରେ ଶେଷ କରିଥିଲେ ମଧ୍ୟ ୧୮ ମିନିଟ୍ରେ ଗଞ୍ଜାଲୋ ପିଲାଟଙ୍କ ଶକ୍ତିଶାଳୀ ସଟ୍ ମ୍ଯାଚକୁ ବରାବର ସ୍ଥିତିକୁ ନେଇଯାଇଥିଲା । ୨୭ତମ ମିନିଟ୍ରେ ଭାରତ ୧-୨ରେ ପଛୁଆ ହୋଇ ଚାପରେ ପଡ଼ିଥିଲା ।

ତୃତୀୟ କ୍ବାର୍ଟର ପ୍ରାରମ୍ଭରୁ ଭାରତ ଏକାଧିକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା । ୩୬ତମ ମିନିଟରେ ଅଭିଷେକ ଆଉ ଏକ ପିସି ଅର୍ଜନ କରିଥିଲେ। ହର୍ମନପ୍ରୀତଙ୍କ ହିଟ୍ ଫେରି ଆସୁଥିବାବେଳେ ସୁଖଜିତ୍ ସିଂହ ଏହାକୁ ଗୋଲରେ ପରିଣତ କରି ମ୍ୟାଚ୍କୁ ବରାବର ସ୍ତରକୁ ଆଣିଥିଲେ । ହେଲେ ୫୪ ମିନିଟ ସମୟରେ ଭାରତର ସ୍ବପ୍ନରୁ ଚୁରମାର କରିଦେଇଥିଲା ଜର୍ମାନୀ । ଅନ୍ଯପଟେ ନେଦରଲାଣ୍ଡସ ୨୦୧୨ ପରେ ପ୍ରଥମ ଥର ଫାଇନାଲ୍ରେ ପ୍ରବେଶ କରିଛି । ସ୍ବର୍ଣ୍ଣ ପଦକ ପାଇଁ ଜର୍ମାନୀ-ନେଦରଲାଣ୍ଡ୍ସ ଏବଂ କାଂସ୍ୟ ପାଇଁ ଭାରତ-ସ୍ପେନ୍ ମୁକାବିଲା ହେବ।