ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ବନ୍ଧ୍ୟାକରଣ ପାଇଁ ଡରୁଛି ପୁରୁଷ

1 min read

ଭୁବନେଶ୍ବର: ପୁରୁଷତ୍ବ ନଷ୍ଟ ହେବା ଭୟରେ ବନ୍ଧ୍ୟାକରଣ କରିବାକୁ ଡରୁଛନ୍ତି ପୁରୁଷ । ଉପାନ୍ତ ନୁହେଁ, ଶିକ୍ଷିତ ଜିଲ୍ଲାରେ କମିଛି ପୁରୁଷ ବନ୍ଧ୍ୟାକରଣ । ସ୍ବାମୀ ଓ ସ୍ତ୍ରୀ ସଚେତନ ହୋଇ ପରିବାର ନିୟୋଜନ ଦିଗରେ କାମ କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପର୍ବ ନବୀନ ପଟ୍ଟନାୟକ ସରକାର ଯେଉଁ ଟ୍ରେନିଂ ସେଣ୍ଟର ବୃଦ୍ଧି ନିଷ୍ପତ୍ତି କରିବାକୁ ଯୋଜନା କରିଥିଲେ । ତାକୁ କାର୍ଯ୍ୟକାରୀ କରିବାକୁ ଚିନ୍ତା କରୁଛି ସ୍ବାସ୍ଥ୍ୟ ବିଭାଗ ।

ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ବନ୍ଧ୍ୟାକରଣ ପାଇଁ ଡରୁଛି ପୁରୁଷ । ପୁରୁଷତ୍ବ ହରାଇବା ଭ୍ରମରେ ବନ୍ଧ୍ୟାକରଣକୁ କରୁଛନ୍ତି ଭୟ । ପଡୁଛି ଜନସଂଖ୍ଯା ଉପରେ ନକରାତ୍ମକ ପ୍ରଭାବ । ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଶିକ୍ଷିତ ଅଞ୍ଚଳ ଅପେକ୍ଷା ଆଦିବାସୀ ଅଞ୍ଚଳର ସଂଖ୍ୟା ଅଧିକ ରହିଛି । ୨୦୨୩-୨୪ରେ ରାଜ୍ୟର କୋରାପୁଟ ଜିଲ୍ଲାରେ ସର୍ବାଧିକ ୩୦୭ ପୁରୁଷ କରାଇଛନ୍ତି ବନ୍ଧ୍ୟାକରଣ । ସୁନ୍ଦରଗଡ଼ ଜିଲ୍ଲାରେ ୨୮୨ ଓ ରାୟଗଡ଼ାରେ ୨୬୪ ପୁରୁଷଙ୍କ ହୋଇଛି ବନ୍ଧ୍ୟାକରଣ । ହେଲେ ଦେବଗଡ଼ ଜିଲ୍ଲାରେ ଏହି ସଂଖ୍ଯା ଶୂନ । ଖାଲି ସେତିକି ନୁହେଁ, ରାଜ୍ୟର ଅନୁଗୁଳ, ବଲାଙ୍ଗୀର, ଢେଙ୍କାନାଳ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର , ସୁବର୍ଣ୍ଣପୁର ପରି ୭ ଜିଲ୍ଲାରେ ପୁରୁଷ ବନ୍ଧ୍ୟାକରଣ ଦୁଇ ଅଙ୍କ ବି ଛୁଇଁନି । ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଳାହାଣ୍ଡି, ଝାରସୁଗୁଡ଼ାରେ ମଧ୍ୟ ସ୍ଥିତି ଭଲ ନୁହେଁ । ପୁରୁଷ ବନ୍ଧ୍ୟାକରଣ ବଢାଇବାକୁ ପୂର୍ବ ନବୀନ ସରକାର ଏକ କମିଟି ଗଠନ କରିବାକୁ ଯୋଜନା କରିଥିଲେ । ତାକୁ ବର୍ତ୍ତମାନର ସରକାର କାର୍ଯ୍ୟକାରୀ କରିବାକୁ ଚିନ୍ତା କରିଛନ୍ତି । ଏଥିରେ ପ୍ରୋତ୍ସାହନ ରାଶି ସହ ପୁରସ୍କାର ମଧ୍ୟ ପ୍ରଦାନ କରିବାର ବ୍ୟବସ୍ଥା ରହିବ ।

୨୦୨୧-୨୨ରେ ରାଜ୍ୟରେ ମୋଟ ୯୦୦ ପୁରୁଷଙ୍କ ବନ୍ଧ୍ୟାକରଣ ହୋଇଥିବା ବେଳେ ୨୦୨୪-୨୫ରେ ୨ ହଜାରରୁ  ଅଧିକ ବନ୍ଧ୍ୟାକରଣ କରିବା ଲକ୍ଷ୍ୟ ରହିଛି । ବାର୍ଷିକ ୫ ହଜାରରୁ ବନ୍ଧ୍ଯାକରଣ ହେଉଥିବା କର୍ଣ୍ଣାଟକ ଓ ମହାରାଷ୍ଟ୍ର ପରି ଓଡ଼ିଶାରେ ଟାର୍ଗେଟ ନେଇ ସ୍ବାସ୍ଥ୍ୟ ବିଭାଗ କମିଟି କାମ କରିବ । ପୂର୍ବ ସରକାରର ଆଭିମୁଖ୍ଯ କାର୍ଯ୍ୟକାରୀ ନହେଲେ ଅସମ୍ଭାଳ ହୋଇପାରେ ସ୍ଥିତି । ନନ୍ ସ୍କାପେଲ୍ ଭାସ୍କେଟୋମି ବା ଏନଏସଭି ପଦ୍ଧତି ହିଁ ପୁରୁଷ ବନ୍ଧ୍ୟାକରଣର ଏକ ମାତ୍ର ଉପାୟ । ଏଥିଲାଗି ଅଧିକ ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଆଯିବ । ବର୍ତ୍ତମାନ ଗୋଟିଏ ଟ୍ରେନିଂ ସେଣ୍ଟର କଟକରେ ରହିଛି । କଳାହାଣ୍ଡି ବା କୋରାପୁଟରେ ଆଉ ଏକ ଟ୍ରେନିଂ ସେଣ୍ଟର ଖୋଲାଯିବାର ଯୋଜନା ରହିଛି ।

ଆସନ୍ତା ବର୍ଷ ଜନଗଣନା ହେବାକୁ ଯାଉଛି । ହେଲେ ଯେଉଁ ପରି ଜନସଂଖ୍ୟାରେ ବିସ୍ଫୋରଣ ଘଟୁଛି, ତାହା ଆଗାମୀ ପିଢି ପାଇଁ ଭୟଙ୍କର ବିପଦ ଆଣିବା ଆଶଙ୍କା ରହିଛି ।