ନୂଆଦିଲ୍ଲୀ: ଭାରତର ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ବିନେଶ ଫୋଗାଟଙ୍କ ସମେତ ଅନେକ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ ବିରୋଧ କରିଆସୁଛନ୍ତି । ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗତ ମାସରେ ଦିଲ୍ଲୀ ପୋଲିସ ମଧ୍ୟ ବ୍ରିଜଭୂଷଣଙ୍କ ବିରୋଧରେ ପକ୍ସୋ ସମେତ ଦୁଇଟି ମାମଲା ରୁଜୁ କରିଥିଲା । ହେଲେ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହି କାରଣରୁ ନିକଟରେ କୁସ୍ତିଯୋଦ୍ଧାମାନେ ନିଜ ନିଜର ମେଡାଲ ଗଙ୍ଗାରେ ବିସର୍ଜନ କରିବା କଥା କହିଥିଲେ ।
ଏହାରି ମଧ୍ୟରେ ଭାରତର ପଦକବୀରଙ୍କୁ ୧୯୮୩ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆର ଖେଳାଳିଙ୍କ ସମର୍ଥନ ମିଳିଛି । ଏହି ଖେଳାଳିମାନେ ମିଳିତ ବୟାନ ଜାରି କରି କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି । ଏମାନଙ୍କ ମଧ୍ୟରେ କପିଲ ଦେବ, ସୁନୀଲ ଗାଭାସ୍କର, ଦିଲ୍ଲୀପ ୱେଙ୍ଗସରକର ଏବଂ ମଦନଲାଲ ସମେତ ଅନେକ ଦିଗ୍ଗଜ କ୍ରିକେଟର ସାମିଲ ଅଛନ୍ତି । ଏମାନେ ଏକ ମିଳିତ ବୟାନ ଜାରି କରି କୁସ୍ତିଯୋଦ୍ଧାଙ୍କୁ ମେଡାଲ ଗଙ୍ଗାରେ ବିସର୍ଜନ ନକରିବା ପାଇଁ କହିଛନ୍ତି । ୧୯୮୩ର ଚମ୍ପିଆନ ଟିମ୍ କହିଛି ଯେ କୁସ୍ତିଯୋଦ୍ଧାମାନେ ଦେଶର ମାନସମ୍ମାନ ବଢ଼ାଇଛନ୍ତି । ସେମାନେ ଶୀଘ୍ରତାରେ କୌଣସି ନିଷ୍ପତ୍ତି ନନିଅନ୍ତୁ । ଆଶା କରୁଛୁ ଯେ ସେମାନଙ୍କ ଦାବି ସରକାର ଶୁଣିବେ ।
ବୟାନରେ ୧୯୮୩ ଚମ୍ପିଆନ ଟିମ୍ ଲେଖିଛନ୍ତି ଯେ, ଆମର ଚମ୍ପିଆନ କୁସ୍ତିଯୋଦ୍ଧାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ଦେଖି ଆମେ ମର୍ମାହତ ଏବଂ ଚିନ୍ତିତ ହୋଇଛୁ । ଆମକୁ ସବୁଠୁ ଅଧିକ ଚିନ୍ତା ଏହି କଥାର ରହିଛି ଯେ ସେମାନେ ନିଜର ପରିଶ୍ରମ ଦ୍ୱାରା ଅର୍ଜିତ କରିଥିବା ମେଡାଲକୁ ଗଙ୍ଗାରେ ବିସର୍ଜନ କରିବାକୁ ଭାବୁଛନ୍ତି । ସେହି ପଦକରେ ବର୍ଷ ବର୍ଷର ପ୍ରୟାସ, ବଳିଦାନ, ଦୃଢ଼ ସଂକଳ୍ପ ଏବଂ ଧୌର୍ଯ୍ୟ ସାମିଲ ଅଛି ଏବଂ ସେଇ ପଦକ ନା କେବଳ ତାଙ୍କର ବରଂ ସାରା ଦେଶର ଗୌରବ ଅଟେ । ଆମେ ତାଙ୍କୁ ନିବେଦନ କରୁଛି ଯେ ସେମାନେ ଏହି ମାମଲାରେ ଶୀଘ୍ରତା ନକରନ୍ତୁ । ଏବଂ ଆଶା କରୁଛୁ ଯେ ସେମାନଙ୍କ ଅଭିଯୋଗକୁ ଶୁଣାଯିବ ଏବଂ ସେଗୁଡ଼ିକର ଶୀଘ୍ର ସମାଧାନ କରାଯିବ ।
ଦେଶର ଆଇନକୁ ବଳବତ୍ତର ରହିବାକୁ ଦିଆଯାଉ । ପ୍ରକାଶଥାଉକି, ୧୯୮୩ ମସିହାରେ ଅଧିନାୟକ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ କ୍ଲାଇବ ଲୟଡଙ୍କ ନେତୃତ୍ୱାଧୀନ ୱେଷ୍ଟଇଣ୍ଡିଜକୁ ହରାଇ ପ୍ରଥମଥର ଦିନିକିଆ ବିଶ୍ୱ କପ ଟ୍ରଫି ଜିତିଥିଲା । ସୁନୀଲ ଗାଭାସ୍କର, ମୋହିନ୍ଦର ଅମରନାଥ, କେ ଶ୍ରୀକାନ୍ତ, ସୈୟଦ କରମାନୀ, ୟଶପାଲ ଶର୍ମା, ମଦନ ଲାଲ, ବଲବିନ୍ଦର ସିଂହ ସନ୍ଧୁ, ସନ୍ଦୀପ ପାଟିଲ, କୀର୍ତ୍ତି ଆଜାଦ ଏବଂ ରୋଜର ବିନ୍ନୀ ଭଳି ଷ୍ଟାରଙ୍କ ଦ୍ୱାରା ସଜ୍ଜିତ ଭାରତୀୟ ଦଳ ୨୫ ଜୁନ୍, ୧୮୯୩ରେ ଲର୍ଡସରେ ଖେଳାଯାଇଥିବା ଫାଇନାଲରେ ଭାଗ ନେଇଥିଲେ ଏବଂ ଦଳକୁ ବିଜୟୀ କରାଇଥିଲେ ।

