୧୩ ହଜାର କୋଟି ଟଙ୍କା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା, ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସିଙ୍କୁ ଆଶ୍ବସ୍ତି

1 min read

ନୂଆଦିଲ୍ଲୀ: ୧୩ ହଜାର କୋଟି ଟଙ୍କା ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସିଙ୍କୁ ଆଶ୍ବସ୍ତି । ପଳାତକ ହୀରା ବ୍ୟବସାୟୀ ଚୋକସିଙ୍କୁ ଆଣ୍ଟିଗୁଆ ଓ ବାର୍ବୁଦାରୁ ବାହାର କରାଯାଇପାରିବ ନାହିଁ । ଏନେଇ ରାୟ ଦେଇଛନ୍ତି ହାଇକୋର୍ଟ । ଚୋକସି ନିଜର ପିଟିସନରେ ଦର୍ଶାଇଥିଲେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଯଥାର୍ଥ ତଦନ୍ତ ହେଉ । ତାଙ୍କୁ ଏହି ଦେଶରେ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଦର୍ଶାଇଛନ୍ତି । ଭାରତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩ ହଜାର କୋଟି ଟଙ୍କା ଘୋଟାଲାର ମୁଖ୍ୟ ଅଭିଯୁକ୍ତ ମହୁଲ ଚୋକସି ଆଣ୍ଟିଗୁଆ ଓ ବାର୍ବୁଦାକୁ ଚାଲିଯିବା ପରେ ଭାରତ ହାତଟେକି ଦେଇ ଆଇନଗତ ଲଢେଇ ଜାରି ରଖିଥିଲା ।

ସେପଟେ ସିବିଆଇ ପକ୍ଷରୁ କୁହାଯାଇଛି- ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ପଳାତକ ଓ ଅପରାଧୀମାନଙ୍କୁ ଭାରତକୁ ଆଣିବା କ୍ଷେତ୍ରରେ ପ୍ରକ୍ରିୟା ଜାରି ରଖିବ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ମେହୁଲ ଚୋକସି ଓ ଅନ୍ୟମାନଙ୍କ ବିରୋଧରେ ଗତ ୨୦୧୮ ଫେବ୍ରୁଆରୀ ୧୫ ତାରିଖରେ ସିବିଆଇ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ପରେ ୨୦୨୨ରେ ସିବିଆଇ ସେମାନଙ୍କ ବିରୋଧରେ ୫ଟି ଅପରାଧିକ ମାମଲା ରୁଜୁ କରିଥିଲା । ସେପଟେ ରେଡ୍ ନୋଟିସ ବିରୋଧରେ କମିଶନ ଫର କଣ୍ଟ୍ରୋଲ ଅଫ୍ ଇଣ୍ଟରପୋଲ୍ସ ଫାଇଲସ ବା ସିସିଏଫ ନିକଟରେ ୨୦୧୮ରେ ଚୋକସି ଆବେଦନ କରିଥିଲେ ।