ଗର୍ଲଫ୍ରେଣ୍ଡ ସହ ବୁଲିବାକୁ ଆସିଥିବା ବେଳେ ଗିରଫ ହୋଇଛି ମେହୁଲ ଚୋକସି !

 ଆଣ୍ଟିଗୁଆ: ଭାରତରୁ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଡୋମିନିକାରେ ଗିରଫ କରାଯିବା ପରେ ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ଦାବି ଜୋର ଧରିଛି । ଏହାକୁ ନେଇ ବିଭିନ୍ନ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି । ଏମଧ୍ୟରେ ଆଣ୍ଟିଗୁଆ ଏବଂ ବାରବୁଦା ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ ପଳାତକ ମେହୁଲ ଚୋକସିଙ୍କ ନିଜ ଦେଶରୁ ରହସ୍ୟମୟ ନିଖୋଜ ହେବା ନେଇ ଏକ ସମ୍ବେଦନଶୀଳ ଦାବି କରିଛନ୍ତି । ଏକ ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀ ବ୍ରାଉନ୍ କହିଛନ୍ତି ଯେ, ମେହୁଲ ଚୋକସି ଏଠାକୁ ଆସି ବଡ଼ ଭୁଲ୍ କରିଛନ୍ତି । ସେ ତାଙ୍କ ପ୍ରେମିକା ଡୋମିନିକାଙ୍କ ସହ କିଛି ଭଲ ସମୟ ବିତାଇବାକୁ ଏଠାକୁ ଆସିଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏବେ ତାଙ୍କୁ ଭାରତ ହସ୍ତାନ୍ତର କରାଯାଇପାରେ।

୧୩ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ମେହୁଲ ଚୋକସି ଓକିଲ କିନ୍ତୁ ଭିନ୍ନ କାହାଣୀ କହିଛନ୍ତି । ସେ କହିଛନ୍ତି ଯେ, ଚୋକସିଙ୍କୁ ୨୩ ମେ ୨୦୨୧ରେ ଭାରତ ଏବଂ ଆଣ୍ଟିଗୁଆ ପାଇଁ କାର୍ଯ୍ୟ କରୁଥିବା ଅଧିକାରୀମାନେ ଅପହରଣ କରି ନେଇଥିଲେ। ଏହି ସମୟରେ ତାଙ୍କୁ ମାଡ ଓ ନିର୍ଯାତନା ଦିଆଯିବା ସହ ଏକ ଜାହାଜ ମାଧ୍ୟମରେ ଡୋମିନିକାକୁ ନିଆଯାଇଥିଲା ଏବଂ ସେଠାରେ ତାଙ୍କୁ ଗିରଫ କରାଯାଇଥିଲା। ଯଦିଓ ଆଣ୍ଟିଗୁଆର ପୋଲିସ ଅପହରଣ ଦାବିକୁ ଖଣ୍ଡନ କରିବା ସହ ନିର୍ଯାତନା ଦିଆଯାଇ ନଥିବା କହିଛି । ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, ମେହୁଲ ଚୋକସିଙ୍କ ବିରୋଧରେ ବଡ଼ଧରଣ ବ୍ୟାଙ୍କ ଠକେଇର ଅଭିଯୋଗକୁ ପ୍ରମାଣିତ କରିବାକୁ କିଛି ଭାରତୀୟ ଅଧିକାରୀମାନେ ଡକ୍ୟୁମେଣ୍ଟ ଆକାରରେ ଡୋମିନିକାରେ ପହଞ୍ଚିଛନ୍ତି। ଯାହା ସ୍ପଷ୍ଟ ହେବା ମାତ୍ରେ ଚୋକସିଙ୍କୁ ଭାରତ ପଠାଯାଇପାରିବ ।

ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ ଡୋମିନିକାନ୍ ସରକାରଙ୍କୁ କହିଛନ୍ତି ଯେ ମେହୁଲ ଚୋକସିଙ୍କୁ ଆଣ୍ଟିଗୁଆ ନୁହେଁ ବରଂ ଭାରତ ପଠାଯିବା ଉଚିତ୍। ମେହୁଲ ଚୋକସିଙ୍କ ଅପହରଣ, ନିର୍ଯାତନା ଏବଂ ବେଆଇନ ଗିରଫ ମାମଲା ଡୋମିନିକାନ୍ ହାଇକୋର୍ଟରେ ବିଚାରାଧୀନ ଅଛି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମେହୁଲ ଚୋକସିଙ୍କ ଅନ୍ୟ ଦେଶକୁ ପ୍ରତ୍ୟର୍ପଣକୁ କୋର୍ଟ ସ୍ଥଗିତ ରଖିଛନ୍ତି । ପରବର୍ତ୍ତୀ ଶୁଣାଣି ଜୁନ୍ ୨ରେ ହେବାକୁ ଯାଉଛି ।

Leave a Reply