ମୋଦିଙ୍କ ମହାବୈଠକ ପୂର୍ବରୁ ମେହବୁବାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

1 min read

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୖେଠକ ପୂର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଗୁରୁବାର ଦିନ ଜମ୍ମୁର ଡୋଗରା ଫ୍ରଣ୍ଟ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଜମ୍ମୁ କାଶ୍ମୀର ପ୍ରସଙ୍ଗ ନେଇ ନିକଟ ଅତୀତରେ ମେହବୁବା ପାକିସ୍ତାନ ସହ କଥା ହେବା ସମ୍ପର୍କରେ ଓକିଲାତି କରିଥିଲେ । ଯାହାର ବିରାେଧରେ ଡୋଗରା ଫ୍ରଣ୍ଟ ପକ୍ଷରୁ ଗୁରୁବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏପରିକି ତାଙ୍କ ବିରୋଧରେ ନାରାବାଜି କରିବା ସହ ତିହାର ଜେଲ୍ ପଠାଇବାକୁ ଦାବି କରିଛନ୍ତି ।

ଗୁରୁବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କାଶ୍ମୀର ପ୍ରସଙ୍ଗ ନେଇ ଗୁରୁତ୍ୱପୂର୍ଣ୍ଣ ବୖେଠକ କରିବାକୁ ଯାଉଛନ୍ତି । ଯେଉଁ ବୈଠକରେ ଫାରୁକ୍ ଅବଦୁଲ୍ଲା, ମେହବୁବା ମୁଫତି ସମେତ ଜମ୍ମୁ କାଶ୍ମୀରର ଅନ୍ୟ ନେତା ମଧ୍ୟ ସାମିଲ ହୋଇଛନ୍ତି ।

ଏାହା ବ୍ୟତୀତ ୟୁନାଇଟେଡ୍ ଜମ୍ମୁ ନାମକ ଏକ ସଂସ୍ଥା ମଧ୍ୟ ଜମ୍ମୁରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହି ବିକ୍ଷୋଭ ମୋଦୀ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଥିଲା । କାରଣ ଏହି ବୖେଠକରେ ଗୁପକାର ସଙ୍ଗଠନକୁ ଡକାଯାଇଥିଲା ବେଳେ ଜମ୍ମୁ ଅଞ୍ଚଳର ସଙ୍ଗଠନକୁ ଡକାଯାଇନଥିଲା ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ ପୂର୍ବରୁ ପେନ୍ଥର୍ସ ପାର୍ଟିର ଭୀମ ସିଂହ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ନିଜ କଥା ରଖିବେ । ଆଉ ଜମ୍ମୁ କାଶ୍ମୀରକୁ ପୁର୍ଣ୍ଣ ରାଜ୍ୟର ମାନ୍ୟତା ଦାବି କରିବେ । ଏହାବ୍ୟତୀତ ବିଧାନସଭା ନିର୍ବାଚନ କରାଇବାକୁ ଦାବି କରିବୁ ।

ସୂଚନାଯୋଗ୍ୟ ଯେ, ନିକଟ ଅତୀତରେ ଯେତେବେଳେ ଶ୍ରୀନଗରରେ ଗୁପକାର୍ ସଙ୍ଗଠନର ବୖେଠକ ଅନୁଷ୍ଠିତ ହୋଇଥିଲା । ସେତେବେଳେ ମେହବୁବା ମୁଫତି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ସରକାର ସମସ୍ତଙ୍କ ସହ ଆଲୋଚନା କରିବା ଉଚିତ୍। ଏପରିକି ପାକିସ୍ତାନ ସହ ମଧ୍ୟ କଥାବାର୍ତ୍ତା କରାଯାଇପାରେ ।

Leave a Reply