‘ମମିତା’ ମାମଲାରେ ବିଜେପି ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଲେ ମେହର ସମ୍ପ୍ରଦାୟ: କହିଲେ ରାଜନୀତି ନହେଉ

ମହାଲିଙ୍ଗ: ରାଜନୀତିର ବାଟ ଅଲଗା, ନ୍ୟାୟପାଳିକାର ରାସ୍ତା ଅଲଗା । ପୋଲିସ ତଦନ୍ତ କରିବ ଆଇନ ଦଣ୍ଡ ଦେବ । ମଝିରେ ରାଜନୀତି ନହେଉ । ମମିତା ହତ୍ୟାକାଣ୍ଡରେ ମର୍ମାହତ ବଲାଙ୍ଗୀର ଓ କଳାହାଣ୍ଡିବାସୀ ବିଜେପିର ରାଜନୈତିକ ଷଡ଼ଯନ୍ତ୍ର ଗନ୍ଧ ବାରିବା ପରେ ଏପରି ପ୍ରତିକ୍ରିୟା ରଖୁଛନ୍ତି । ପ୍ରଥମ ଥର ପାଇଁ ଉଭୟ ଜିଲ୍ଲାର ମେହେର ସମ୍ପ୍ରଦାୟ ଲୋକେ ମୁହଁ ଖୋଲି ବିଜେପିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ମମିତାଙ୍କ ବାପା ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ବୋଲି କହିବା ସତ୍ତ୍ୱେ, ବିରୋଧୀ ଆଉ କି ପ୍ରକାର ତଦନ୍ତ ଚାହାଁନ୍ତି ବୋଲି ଆଇନଜୀବୀ ପ୍ରଶ୍ନ କରିଛନ୍ତି ।

ମମିତା ମର୍ଡରରେ ମର୍ମାହତ ମେହେର କୁଳ । ବିରୋଧୀଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଲେ ବୁଣାକାର ସଂପ୍ରଦାୟ । ତଦନ୍ତ ଆଳରେ ଚରିତ୍ର ସଂହାର ନକରିବାକୁ ନିବେଦନ । ଶବ ଉପରେ ପଲିଟିକାଲ ମାଇଲେଜ ନିହାତି ଶସ୍ତା । କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷାଙ୍କ ହତ୍ୟାକାଣ୍ଡରେ ପୋଲିସ ଅଭିଯୁକ୍ତଙ୍କୁ ଧରିଛି । ଅଭିଯୁକ୍ତଙ୍କୁ ବିଚାର କରି ଦଣ୍ଡ ଦେବ ଅଦାଲତ । ହେଲେ ବିରୋଧୀ ଯେପରି ପ୍ରତିଦିନ ଅସହାୟ ପରିବାରକୁ ଭେଟିବା ଆଳରେ ପଲିଟିକାଲ ଷ୍ଟଣ୍ଟ କରୁଛନ୍ତି ତାକୁ ନେଇ କ୍ଷୁବ୍ଧ କଳାହାଣ୍ଡି ଓ ବଲାଙ୍ଗୀରବାସୀ । ତଦନ୍ତ ବାହାନାରେ ବିଜେପି ପୂରା ସମ୍ପ୍ରଦାୟର ଚରିତ୍ର ସଂହାର କରୁଥିବା ଅଭିଯୋଗ କରିଛି ପଶ୍ଚିମ ଓଡ଼ିଶାର ମେହେର ସମ୍ପ୍ରଦାୟ । ପୋଲିସ ତଦନ୍ତ ସଠିକ ଦିଗରେ ଅଛି ବୋଲି ବାପାଙ୍କ କହିବା ପରେ ବି ପଲିଟିକାଲ ଟୁରିଜିମରୁ ଓହରୁ ନାହାଁନ୍ତି ।

ଗୋବିନ୍ଦ ସାହୁଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଥିବା ମେହେର ସମ୍ପ୍ରଦାୟ, ବଦନାମ ରଜନୀତି ନ କରିବାକୁ ବିରୋଧୀଙ୍କୁ ନିବେଦନ କରିଛନ୍ତି ।  ଗୋବିନ୍ଦ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ରିମାଣ୍ଡରେ ବି ସତ ଉଗାରିଲା। ଆବଶ୍ୟକ ପଡ଼ିଲେ ପୁଣି ରିମାଣ୍ଡରେ ଆସି ପାରନ୍ତି। ଏ ହେଉଛି ତଦନ୍ତ ପ୍ରକ୍ରିୟା। ଯାହାକୁ ଖୋଲା ହୃଦୟରେ ସ୍ୱାଗତ କରିଛନ୍ତି ମୃତ ମମିତାଙ୍କ ବାପା। ହେଲେ ବିରୋଧୀ ବାରମ୍ବାର, ମମିତାଙ୍କ ପରିବାରିକୁ ଭେଟି ରାଜନୈତିକ ଗ୍ରୀଲିଂ କରୁଥିବାକୁ ବଲାଙ୍ଗୀର ଓ କଳାହାଣ୍ଡି ଆଇନଜୀବୀମାନେ ମଧ୍ୟ ନାପସନ୍ଦ କରିଛନ୍ତି । ବିରୋଧୀଙ୍କ ଦାବି ଅନୁସାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିବୃତି ରଖିଲେ। ହେଲେ ବିରୋଧୀ ତା ଊର୍ଦ୍ଧ୍ୱରେ କି ତଦନ୍ତ ଦାବି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ବିକାଶ ଦେଖି ବିରୋଧୀ ଜଳକା । ପଞ୍ଚାୟତ ନିର୍ବାଚନରେ ଗାଁ ଗାଁରେ କି ପ୍ରସଙ୍ଗ କରିବେ ତାକୁ ନେଇ ରାସ୍ତା ଖୋଜି ପାଉନାହାଁନ୍ତି । ଜର ବାଉଳାରେ ତାଟିଆ କାମୁଡା ପରି ବିରୋଧୀ ଏବେ ମମିତାଙ୍କ ମୃତ୍ୟୁ ହିଁ ମୁଦ୍ଦା ବୋଲି ଧରିନେଲେଣି । ହେଲେ ଅତିରୁ ଇତି ଭଳି ଏବେ ବିଜେପି ପାଇଁ ଏହା ବୁମେରାଂ ହୋଇଛି ।

Leave a Reply