ସୁଦୃଢ ହେବ ଶିଳ୍ପ ଭିତ୍ତିଭୂମି, ପୂର୍ବ ଭାରତର ଉତ୍ପାଦକ ହେବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାକୁ ପୂର୍ବ ଭାରତ ଉତ୍ପାଦନ ହବ୍‌ ଭାବେ ଗଢ଼ିତୋଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ସାକାର ହେବାକୁ ଯାଉଛି  । ଓଡ଼ିଶାର ଶିଳ୍ପ ଭିତ୍ତିଭୂମିକୁ ନୂଆ ରୂପ
ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟରତ ଶିଳ୍ପସଂସ୍ଥା ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ନେଇ ଇଣ୍ଡଷ୍ଟ୍ରି କେୟାର ବୈଠକ ଆୟୋଜିତ ହୋଇଯାଇଛି । ଏହି ଦୁଇଦିନିଆ ବୈଠକରେ ଶିଳ୍ପସଂସ୍ଥା ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସମ୍ମୁଖୀନ ହେଉଥିବା ଜମି ଜଳଯୋଗାଣ, ବିଦ୍ୟୁତ ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମି ନେଇ ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଇଛି ।

ଏହି ବୈଠକରେ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଜଙ୍ଗଲ ଓ ପରିବେଶ (ପ୍ରଦୂଷଣ ନିୟନ୍ତ୍ରଣ) ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଶିଳ୍ପାୟନକୁ ନେଇ ରହିଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଏହି କ୍ରମରେ ପ୍ରଥମ ଦିନ ୪୨ ଗୋଟି ବୃହତ୍‌ ଶିଳ୍ପସଂସ୍ଥା ଏବଂ ୫୦ରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉଦ୍ୟୋଗପତିମାନଙ୍କୁ  ଅସିତ୍‌ ତ୍ରିପାଠୀଙ୍କ ଉଚ୍ଚସ୍ତରୀୟ ଟିମ୍‌ ସାକ୍ଷାତ କରିଥିଲେ । ଏହି ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟରେ ନାଲ୍‌କୋ, ଏନ୍‌ଟିପିସି, ଏମ୍‌ସିଏଲ୍‌, ଗେଲ୍‌, ଟାଟା ଷ୍ଟିଲ, ବେଦାନ୍ତ ଓ ଜେଏସ୍‌ପିଏଲ୍‌ ଭଳି ପ୍ରମୁଖ ଶଳ୍ପି ପ୍ରତିଷ୍ଠାନ ରହିଛି ।

ଓଡ଼ିଶାର ଶିଳ୍ପ ବାତାବରଣ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ରହିଥିବା ଶିଳ୍ପ କ୍ଲଷ୍ଟର, ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ, ଫ୍ଲାଏ ଆସ୍‌ ଡମ୍ଫିଂ, ଜିଲ୍ଲାରେ ଥିବା  ଶିଳ୍ପାଞ୍ଚଳର ବିକାଶ ପ୍ରଭୃତି ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନରେ ଏହି ଟିମ୍‌ ଅନୁଗୁଳର ଆଲୁମିନିୟମ ପାର୍କ ବୁଲି ଦେଖିବା ସହିତ ସଂପ୍ରତି ଘଟିଥିବା ବିକାଶର ଚିତ୍ର ସମ୍ପର୍କରେ ଅବଗତ ହୋଇଥିଲେ । ଏହା ପରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସହିତ ପାରମ୍ପରିକ ଆଲୋଚନା କରି ଇଡ୍‌କୋର ଶିଳ୍ପାଞ୍ଚଳ, ବିଦୁ୍ୟତ୍‌ ଯୋଗାଣ, କଞ୍ଚାମାଲ ସହ ସଂଯୋଗୀକରଣ ଏବଂ ବ୍ୟାଙ୍କ୍‌ ସହାୟତା ଯୋଗାଇ ଦେବା ଭଳି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ଏହି ଉପକ୍ରମ ମାଧ୍ୟମରେ ରାଜ୍ୟ ସରକାର ନୀତି ନିର୍ଦ୍ଧାରଣ ଏବଂ କାର୍ଯ୍ୟାନ୍ୱୟନ ମଧ୍ୟରେ ରହିଥିବା ବ୍ୟବଧାନକୁ କମାଇବା ସହିତ ଆଗକୁ ଶିଳ୍ପସଂସ୍ଥା ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ଲଗାତାର ସମନ୍ୱୟ ବଜାୟ ରଖିବା ନିମନ୍ତେ ପଦକ୍ଷେପ ନେଇଛନ୍ତି । ସେହିଭଳି ଜିଲ୍ଲା ନିବେଶ ପ୍ରୋତ୍ସାହନ ସଂସ୍ଥା (ଦୀପା) ସମ୍ପର୍କରେ ଆଲୋଚନା କରାଯାଇ
ଏହା କିପରି ଜିଲ୍ଲାସ୍ତରରେ ଚୂଡ଼ାନ୍ତ ପର୍ଯ୍ୟାୟ ଯାଏଁ ପୁଞ୍ଜି ନିବେଶ ଏବଂ ପରବର୍ତ୍ତୀ ପ୍ରକି୍ରୟା ସକାଶେ ସଂଚାଳନ ଯାଏଁ ସହଯୋଗ ଯୋଗାଇ ଦେବ ତାହା ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଅବଗତ କରାଯାଇଥିଲା ।

Leave a Reply