ବିଧାନସଭା ଷ୍ଟାଣ୍ଡିଂ କମିଟିର ସମସ୍ତ ବୈଠକ ବାତିଲ୍

1 min read

ଭୁବନେଶ୍ୱର: ବଢୁଥିବା କରୋନା ଗ୍ରାଫକୁ ଦୃଷ୍ଟିରେ ରଖି ବିଧାନସଭା ଷ୍ଟାଣ୍ଡିଂ କମିଟିର ସମସ୍ତ ବୈଠକକୁ ବାତିଲ କରିଛନ୍ତି ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର । ଏପରିକି ବିଧାନସଭା ଚାଲିବା ନେଇ ଲୋକସଭା ଓ ରାଜ୍ୟସଭା ମୁଖ୍ୟଙ୍କ ସହ ଆଲୋଚନା ବି ହୋଇଛି । ସମସ୍ତଙ୍କ ମତାମତ ନେଇ ପରବର୍ତ୍ତୀ ପଦକ୍ଷେପ ନେବେ ବାଚସ୍ପତି । ସେପଟେ ତିନି ଦିନ ତଳେ ବିଧାନସଭାରେ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେଇଥିବା ବାଲେଶ୍ୱର ଜିଲ୍ଲାର ଜଣେ ବିଜେପି ବିଧାୟକଙ୍କୁ କରୋନା ହୋଇଛି । ଏହା ସତ୍ତ୍ୱେ ଷ୍ଟାଣ୍ଡିଂ କମିଟି ବୈଠକ ବାତିଲକୁ ବିରୋଧ କରୁଥିବାରୁ ହରଡ଼ଘଣାରେ ବିଜେପି । କଂଗ୍ରେସ ମଧ୍ୟ ବୈଠକ ସପକ୍ଷରେ ମତ ରଖିଛି ।

ମାର୍ଚ୍ଚ ୩୦ରେ ଶେଷ ଥର ପାଇଁ ବିଧାନସଭା ଅଧିବେଶନ ବସିଥିଲା । ତାହା ବି ଅସ୍ଥାୟୀ ଭାବେ ଲୋକସେବା ଭବନ କନଭେନସନରେ । କାରଣ ବିଧାନସଭାର ଜଣେ କର୍ମଚାରୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ପରେ ଲକଡାଉନ ପାଇଁ ପ୍ରାୟ ତିନି ମାସ ପାଇଁ ବନ୍ଦ ରହିଲା ବିଧାନସଭା । ତେବେ ଜୁନ ମାସରେ କିଛି ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ବସିଥିଲା । ହେଲେ ଯେଉଁ ପରି କରୋନା ସଂକ୍ରମଣ ବଢୁଛି, ଅନିର୍ଦ୍ଦିଷ୍ଟ କାଳ ପାଇଁ ବୈଠକ ବନ୍ଦ ଘୋଷଣା କରିଛନ୍ତି ବାଚସ୍ପତି । ସେହିପରି ଶେଷ ଅଧିବେଶନର ୬ ମାସ ଭିତରେ ପରବର୍ତ୍ତୀ ଅଧିବେଶନ ବସିବା କଥା । କିପରି ଓ କେଉଁ ପ୍ରକ୍ରିୟାରେ ଅଧିବେଶନ ବସିବ, ସେ ନେଇ ରାଜ୍ୟପାଳଙ୍କ ସମେତ ଲୋକସଭା ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ମତାମତ ଆସିବା ପରେ କୋଭିଡ୍ ଗାଇଡଲାଇନ ଆଧାରରେ ନିଷ୍ପତ୍ତି ନିଆଯିବ ।

ଗତ ଶୁକ୍ରବାର ବିଧାନସଭାରେ ବସିଥିବା ଏକ ଷ୍ଟାଣ୍ଡିଂ କମିଟି ବୈଠକରେ ବାଲେଶ୍ୱର ଜିଲ୍ଲା ବିଜେପି ବିଧାୟକ ଯୋଗ ଦେଇଥିଲେ । ବାହାର ଜିଲ୍ଲାରୁ ଫେରିଥିବାରୁ ତାଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା । ଯେଉଁଥିରେ ବିଜେପି ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଯେଉଁ ବିଜେଡି ବିଧାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା, ସେ RMRC ଯାଇ କୋଭିଡ ପରୀକ୍ଷା କରିଛନ୍ତି । ଗୋଟିଏ ପଟେ ଷ୍ଟାଣ୍ଡିଂ କମିଟି ବୈ କରେ ଯୋଗ ଦେଇଥିବା ବିଜେପି ବିଧାୟକଙ୍କ ପାଇଁ ଅନ୍ୟ ବିଧାୟକ ଆତଙ୍କିତ, ଅନ୍ୟପଟେ କିନ୍ତୁ ଷ୍ଟାଣ୍ଡିଂ କମିଟି ବୈଠକ ବାତିଲ୍ ନିଷ୍ପତ୍ତିକୁ ବିରୋଧ କରୁଛି ବିଜେପି । ସେହିପରି କରୋନା ଆଲୋଚନାକୁ ଆଳ କରି ଷ୍ଟାଣ୍ଡିଂ କମିଟି ବୈଠକ ଦାବି କରିଛି କଂଗ୍ରେସ । ଜବାବ ରଖିଛି ବିଜେଡି ।

ପରୀକ୍ଷା ବଢିବାରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ବିଧାୟକଙ୍କୁ ବି କରୋନା ହେଲାଣି । ପର୍ବରୁ ମଧ୍ୟ ବିଧାନସଭା କର୍ମଚାରୀଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ପଠାଯାଇଥିଲା । ଏପରି ସ୍ଥିତିରେ ଷ୍ଟାଣ୍ଡିଂ କମିଟି ବୈଠକ ପାଇଁ ବିଜେପି କିପରି ଜିଦ୍ ଧରି ବସିଛି, ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply