୪୦୦ କରୋନା ସଂକ୍ରମିତଙ୍କ ଶବ ସଂସ୍କାର କଲେଣି ଏହି ବ୍ୟକ୍ତି
1 min read
ନୂଆଦିଲ୍ଲୀ: ମହାମାରୀ କୋଭିଡକୁ ନେଇ ଅନେକ ଖବର ଆସୁଛି । କେଉଁଠି କରୋନା ସନ୍ଦେହରେ ସମ୍ପର୍କୀୟ ଶବକୁ ଛୁଉଁନାହାନ୍ତି ତ ଆଉ କେଉଁଠି ମେଡିକାଲ ବାରଣ୍ଡାରେ ଜୀବନ ଝଡ଼ି ପଡ଼ୁଛି । ସାହାଯ୍ୟ ଖୋଜୁଥିବା ମଣିଷର ଜୀବନର ଚାଲି ଯାଉଛି ସଂକ୍ରମଣ ଭୟରେ । ଏମିତି ଅନେକ ଘଟଣା ଆପଣଙ୍କ ଚାରିପାଖେ ଘଟୁଥିବ । ହୁଏତ ଆପଣ ନିଜେ ଅଙ୍ଗେ ନିଭାଇଥିବେ । ମହାମାରୀ କରୋନା ଆମକୁ ଅନେକ କିଛି ଶିଖାଇଥିବା ବେଳେ ନୂଆ ଦୁନିଆ ଦେଖାଇଛି । ସ୍ୱାର୍ଥପର ଦୁନିଆରେ ଏମିତି କିଛି ଭଲ ମଣିଷ ଅଛନ୍ତି ଯାହାଙ୍କ ବିଷୟରେ କହିଲେ ବି କମ୍ ହେବ । ସେହିଭଳି ଜଣେ ଭଲ ନିଆରା ମଣିଷ ହେଉଛନ୍ତି ରାମାନନ୍ଦ ସରକାର ।
ଆସାମର ରାମାନନ୍ଦ ଏବେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ନିଜ ଜୀବନକୁ ବାଜି ଲଗାଇ କରୋନା ମୃତଙ୍କ ଶବ ସତ୍କାର କରୁଛନ୍ତି ରାମାନନ୍ଦ । କରୋନା ସମୟରେ ସେ ଏଯାଏଁ ୪୦୦ରୁ ଅଧିକ ମୃତଦେହ ସତ୍କାର କରି ସାରିଲେଣି । ବିନା ପିପିଇ କିଟରେ କୋଭିଡରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମୃତଦେହକୁ ନିଃସଂକୋଚରେ ଦାହ କରୁଛନ୍ତି ସେ ।
୪୩ ବର୍ଷିଅ ରାମାନନ୍ଦ ସରକାର ଆସାମର ଦରାଜ ଗାଁରେ ରୁହନ୍ତି । ସେ ଋଣ ନେଇଥିଲେ । ସେହି ଋଣ ପରିଶୋଧ ପାଇଁ ସେ ଅନେକ କାମ କରୁଥିଲେ । ଏପରିକି ସେ ଆଖୁ ପେଡ଼ି ସରବତ ବିକିଥିଲେ ।
ଶ୍ମଶାନରେ ମିଳିଲା ଚାକିରି
ଦୁଇ ବର୍ଷ ତଳର କଥା । ଆସାମାର ରାଜଧାନୀ ଗୁଆହାଟି ଶ୍ମଶାନ ଘାଟରେ ତାଙ୍କୁ ଚାକିରି ମିଳିଥିଲା । ସେଠାରେ ତାଙ୍କ କାମ ଥିଲା ମୃତଦେହ ସତ୍କାର କରିବା । ରାମାନନ୍ଦ ଏବେ ଯାଏଁ ପ୍ରାୟ ୪୦୦ କୋଭିଡ୍ ସଂକ୍ରମିତଙ୍କ ଦାହ କରି ସାରିଲେଣି । ସେ କୁହନ୍ତି- ମୁଁ ଜାଣିପାରୁନି ଲୋକ କାହିଁକି ମୋତେ ଘୃଣା କରନ୍ତି । ମୁଁ ଲୋକଙ୍କ ଶବ ଜାଳୁଥିବାରୁ ଘୃଣା କରୁଛନ୍ତି । ଯଦି, ମୁଁ ଏ କାମ କରିବି ନାହିଁ ତେବେ କିଏ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।