spot_img

Latest Posts

ସୁନା ଝିଅ ସୁନୀତା, ସମାଜସେବାରୁ ସମରକଳା ପୁଣି ଚାଷ, ସବୁଥିରେ ପାରଙ୍ଗମ

ସୁନା ଝିଅ ସୁନୀତା । ସେ ଇଂଜିନିୟରିଂ ପଢନ୍ତି ପୁଣି ଲାଠି ବି ବୁଲାନ୍ତି। ହଜି ଯାଉଥିବା ପାଇକ ଆଖଡାକୁ ଦେଉଛନ୍ତି ନୂଆ ପରିଚୟ। ପୁଣି ସାଇତି ରଖୁଛନ୍ତି ପୁରୁଣା ଖବରକାଗଜ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ରତନପୁର ପଞ୍ଚାୟତ ରତ୍ନମାଳା ବଧିସାହିଁ ଗାଁର ସୁନୀତା ବେହେରା  ଇଂଜିନିୟରିଂ ପଢୁଛନ୍ତି । କିନ୍ତୁ ବିଲ ଓ ଆଖାଡା ତାଙ୍କ ପ୍ରଥମ ପ୍ରେମ । ଯେତେବେଳେ ହ୍ୱାଇଟ୍ କଲର ଜବ ସମସ୍ତଙ୍କ ଲକ୍ଷ୍ୟ,ସେତେବେଳେ ସୁନିତା କିନ୍ତୁ ଅଲଗା । ସେ ଚାଷ ବି କରନ୍ତି ଓ ଆଖାଡାରେ ଖଣ୍ଡା ବି ବୁଲାନ୍ତି। ସେ ସମାଜର ସେଇ ଭ୍ରମକୁ ଭାଙ୍ଗିଛନ୍ତି ଯାହା କୁହେ,ଏ କାମ କେବଳ ପୁଅ କରିପାରିବେ।

ଓଡ଼ିଶାର ପାରମ୍ପାରିକ ମାର୍ଶାଲ ଆର୍ଟ ପାଇକ ଆଖଡାର ପୁନରୁଦ୍ଧାର ସହିତ ଝିଅଙ୍କୁ ଏହା ସହିତ ଯୋଡିବା ପାଇଁ ଆରମ୍ଭ କରିଛନ୍ତି ‘କଳିଙ୍ଗ କନ୍ୟା ପାଇକ ଆଖଡ଼ା’ । ଆଉ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସାଧନା ଜାରି ରଖିଛନ୍ତି ।  ସୁନିତା ସମାଜସେବା ବି କରନ୍ତି । ସମାଜସେବା ଲାଗି ସୁନୀତାଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସରସ୍ୱତୀ ରାୟ ସ୍ୱର୍ଣ୍ଣ ପଦକ ମିଳିଛି ।

ସମାଜସେବା ସହ ପ୍ରକୃତିର ପ୍ରେମରେ ପଡ଼ିଛନ୍ତି ସୁନିତା । ପରିବେଶକୁ ଭଲ ପାଉଥିବା ସୁନୀତା ନିଜ ବାଡ଼ିରେ ୭୨ ପ୍ରକାରର ଔଷଧୀୟ ବୃକ୍ଷଲତା ଲଗାଇବଛନ୍ତି ଆଉ ଏହାର ଯତ୍ନ ବି ନେଉଛନ୍ତି। ପରିବେଶ ସୁରକ୍ଷା, ଚାରାବଣ୍ଟନ ଓ ବୃକ୍ଷରୋପଣ ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ସୁନୀତାଙ୍କୁ ମିଳିଛି ପ୍ରକୃତିବନ୍ଧୁ ପୁରସ୍କାର। ନିଜ ପାଠପଢ଼ା ସହ ବଳକା ସମୟରେ ଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ସୁନୀତା। ତାଙ୍କ ଉଦ୍ୟମରେ ସୃଷ୍ଟି ହୋଇଛି ଏହି ସୁନ୍ଦର ଗେଣ୍ଡୁ ଫୁଲର ବଗିଚା। ସୁନୀତା କୁହନ୍ତି- ପିଲାଟି ଦିନରୁ ଗଛ ଲଗାଇବା ଓ ତା’ର ଯତ୍ନ ନେବାକୁ ତାଙ୍କୁ ଖୁବ୍ ଭଲ ଲାଗେ । ସେଥିପାଇଁ ନିଜ ବାରିରେ ସେ ନାନା ପ୍ରକାରର ଗଛ ଲଗାଇଛନ୍ତି।

ଚାଷ ପ୍ରତି ଆଗ୍ରହ ହେବାରୁ ଉଦ୍ୟାନ ବିଭାଗର ପରାମର୍ଶ ନେଇ ଘରବାରିରେ ପ୍ରାୟ ୧୪ ହଜାର ଗେଣ୍ଡୁ ଫୁଲଚାରା ରୋପଣ କରିଥିଲେ ସୁନୀତା । ପ୍ରଥମେ ଅଭିଜ୍ଞତା ନଥିବାରୁ ପ୍ରାୟ ଗଛ ନଷ୍ଟ ହୋଇଯାଇଥିଲା । ତେବେ, ଏଥିରେ ସେ ଭାଙ୍ଗି ପଡ଼ିନଥିଲେ । ସେ ଏହାକୁ ଜାରି ରଖିଥିଲେ । ଆଉ ଆଜି ଏହି ଆତ୍ମବିଶ୍ୱାସ ସୁନୀତାଙ୍କୁ ଆଣି ଦେଇଛି ସଫଳତା । ସେ ଲଗାଇଥିବା ପ୍ରତ୍ୟେକ ଗେଣ୍ଡୁ ଗଛରେ ଦୈନିକ ୨୦ରୁ ୨୫ଟି ଲେଖାଏଁ ଫୁଲ ଫୁଟୁଛି । ଯାହାକୁ ଦେଖି ଆତ୍ମବିଭୋର ହୋଇପଡ଼ୁଛନ୍ତି ସୁନୀତା । ଆଉ ଏବି ଫୁଲରୁ ସେ ବେଶ୍ ଭଲ ରୋଜଗାର କରୁଛନ୍ତି।

କେବଳ ଏତିକି ନୁହେଁ ସୁନୀତା ନିଜସ୍ୱ ଉଦ୍ୟମରେ ଘରେ ପ୍ରତିଷ୍ଠା କରିଛନ୍ତି ‘ଚିଲିକା ଖବରକାଗଜ ସଂଗ୍ରହାଳୟ’ । ଯେଉଁଠି ୨ ହଜାରରୁ ଅଧିକ ବିଭିନ୍ନ ପ୍ରକାରର ଖବରକାଗଜ ଓ ପତ୍ରପତ୍ରିକାକୁ ସେ ସଂଗ୍ରହ କରି ରଖିଛନ୍ତି। ସତରେ ସମାଜସେବାରୁ ସମରକଳା ପୁଣି ଚାଷ, ସବୁଥିରେ ପାରଙ୍ଗମ ସୁନିତା ।

Latest Posts

Don't Miss