ଲଣ୍ଡନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ୨୫୦ କୋଟି ଟଙ୍କା ଦେଲେ ଓଡ଼ିଆ ଶିଳ୍ପପତି

ନନ୍ଦିଘୋଷ ବ୍ୟୁରୋ: ଲଣ୍ଡନରେ ଶୁଭିବ ଜୟ ଜଗନ୍ନାଥ । ସାତ ଦରିଆ ପାରିରେ ପ୍ରତିଷ୍ଠା ହେବାକୁ ଯାଉଛି ଶ୍ରୀଜଗନ୍ନାଥ ମନ୍ଦିର । ମନ୍ଦିର ନିର୍ମାଣ ପାଇଁ ୨୫୦କୋଟି ଟଙ୍କା ପ୍ରଦାନ କରିବ ଫିନ୍ନେଷ୍ଟ କମ୍ପାନୀ । ଲଣ୍ଡନରେ ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ଦ୍ବାରା ଆୟୋଜିତ ହୋଇଯାଇଛି ଜଗନ୍ନାଥ ସମ୍ମିଳନୀ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହି ଅବସରରେ ଗଜପତି ମହାରାଜ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରେ ଲଣ୍ଡନରେ ମନ୍ଦିର ପାଇଁ ସୋସାଇଟିର ଯେଉଁ ପ୍ରତିବଦ୍ଧତା ରହିଛି ତାହା ଶୀଘ୍ର ପୂରଣ ହେବ ।

ଏନେଇ ସୂଚନା ଦେଇଛନ୍ତି ଫିନ୍ନେଷ୍ଟ କମ୍ପାନୀର ଏମଡି ଅରୁଣ କର । ଫିନ୍ନେଷ୍ଟ କମ୍ପାନୀ ଦୁଇ ଜଣ ଓଡିଆ ଉଦ୍ୟୋଗୀଙ୍କ ମିଳିତ ସହଯୋଗରେ ଗଢି ଉଠିଛି । ମନ୍ଦିର ପାଇଁ ସମସ୍ତ ଖର୍ଚ୍ଚ ସହ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କମ୍ପାନୀର ଚେୟାରମ୍ୟାନ ବିଶ୍ବଜିତ ପଟ୍ଟନାୟକ କହିଛନ୍ତି । ମନ୍ଦିର ପାଇଁ ଆବଶ୍ୟକୀୟ ଜମିକୁ ଅନୁମୋଦନ ମିଳିସାରିଛି । ୧୫ ଏକର ଜମି ପାଇଁ ୭୦ କୋଟି ଟଙ୍କା ଦେଇସାରିଛି ଫିନ୍ନେଷ୍ଟ କମ୍ପାନୀ । ମନ୍ଦିର ନିର୍ମାଣ ପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଅନୁମତି ମଗାଯାଇଛି ।