ବାପାଙ୍କ ହାତ ଭାଙ୍ଗି ଘରୁ କାଢିଦେଲା ମଦୁଆ ପୁଅ, ଗୁଜୁରାଣ ମେଣ୍ଟାଇବା ପାଇଁ ବୃଦ୍ଧ ଦମ୍ପତି ବିକୁଛନ୍ତି ଚାହା

ନୂଆଦିଲ୍ଲୀ:  କିଛିଦିନ ତଳେ ବାବା କି ଢାବାକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା । ସାମାନ୍ୟ ସୋସିଆଲ ମିଡିଆ ପୋଷ୍ଟଟି ଜଣେ ବୃଦ୍ଧଙ୍କ ଛୋଟ ବ୍ୟବସାୟକୁ ଶିଖର ଛୁଆଁଇ ଦେଇଥିଲା । ଏ ଦୁନିଆରେ ଏମିତି ଅନେକ ବୃଦ୍ଧା ଅଛନ୍ତି, ଯେଉଁମାନେ ଲାଭ ପାଇଁ ନୁହେଁ, ବରଂ ବଞ୍ଚି ରହିବା ପାଇଁ ରୋଜଗାର କରୁଛନ୍ତି । ଏମିତି ଅନେକ ଚରିତ୍ର ଆମ ଚାରି ପାଖରେ ରହିଛନ୍ତି । କେତେକ ମୂଳତଃ ଅସହାୟ ଶ୍ରେଣୀର । ଆଉ କେତେକଙ୍କୁ ଅସହାୟ କରି ଦିଆଯାଉଛି । ତାହା ପୁଣି ପ୍ରିୟଜନଙ୍କ ଦ୍ୱାରା । ପ୍ରିୟଜନ କହିଲେ ହୁଏତ ଭୁଲ ହେବ । ନିଜର ଜନ୍ମକଲା ସନ୍ତାନଙ୍କ ଦ୍ୱାରା । ଏମିତି ଏକ ଦାରୁଣ ଉଦାହରଣ ଦେଖିବାରୁ ମିଳିଛି ରାଜଧାନୀ ନୂଆଦିଲ୍ଲୀରେ ।

ଜନୈକା ୭୦ ବର୍ଷୀୟ ଦମ୍ପତି । ଚମଧୁଡୁ, ଆଖି କୁଆଡେ ପସିଯାଉଛି । ଅଣ୍ଟା ସଳଖି ଛିଡା ହେବାର ଜୁ ଟିକେ ନାହିଁ । ପାହୁଣ୍ଡେ ଚାଲିବା ଦୂରରେ କଥା । କୁଆଡେ ଯିବା କଥା ଭାବିବା ତାଙ୍କ ପାଇଁ ଏକ ଦୂରୁହ ବ୍ୟାପାର । ତାଙ୍କର ପୁଅ ଅଛି । ଯାହକୁ ସେ ବକଟେରୁ ବାବୁ ଭାୟା ସମାଜରେ ବଡ଼ ମଣିଷଟିଏ କରିଛନ୍ତି । ହେଲେ ସେହି ପୁଅ ଆଜି ତାଙ୍କ ଦୁଃଖର କାରଣ । ନିଜ ଜନ୍ମକଲା ପିତାମାତାଙ୍କୁ ସାମାନ୍ୟ ଯତ୍ନ ନେବା ଦୂରର କଥା । ଆଡ ଆଖିରେ ପୁଅ ଅନାଇଲା ନାହିଁ ।

ମଦ ପିଇ ମାତାଲ ହୋଇ ବାପାମାଙ୍କ ଉପରକୁ ହାତ ଉଠାଇଲା । କେବଳ ସେତିକି ନୁହେଁ, ତାଙ୍କୁ ବୋଝ ଭାବି ସବୁଦିନ ନିଜ ଜୀବନରୁ ଦୂରେଇବା ପାଇଁ ଘରୁ କାଢିଦେଲା । ଆହୁରି ହୃଦୟ ବିଦାରକ ତ ସେହି କଥା । ଯାହା ହୁଏତ ଆପଣଙ୍କୁ ଅବିଚଳିତ କରିଦେବ । ପୁଅ ନିଜ ବାପାଙ୍କ ବାମହାତକୁ ଏତେ ଜୋରରେ ଆଘାତ ଦେଲା ଯେ, ବିଚରା ବାପାଟିର ହାତ ଭାଙ୍ଗିଗଲା । ଭଙ୍ଗା ହାତରେ ବାପା ଘରୁ ବାହାରିଗଲା । ପୁଅ ତ ପୁଅ ଜ୍ୱାଇଁ ଠାରୁ ମଧ୍ୟ ଲାଞ୍ଛନା ମିଳିଲା । ପରବର୍ତ୍ତୀ ସମୟରେ ଝିଅର ସାମନ୍ୟ ସହଯୋଗରେ ଦ୍ୱାରକାସ୍ଥିତ ସୁବାଷ ଆପାର୍ଟମେଣ୍ଟ ଫେଜ୍ ୱାନରେ ଛୋଟ ଚାହା ଦୋକାନଟିଏ କରିଛନ୍ତି ।

ଏହି ଘଟଣାକୁ ସମାଜ ସମ୍ମୁଖକୁ ଆସିଥିଲା ଫୁଡିବିଶାଲ ନାମକ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ଦ୍ୱାରା । ବିଶାଲଙ୍କ ଏହି ପୋଷ୍ଟକୁ ବ୍ୟାପକ ପରିମାଣରେ ସେୟାର କରାଗଲା । ଏହା ଉପରେ ନଜର ପଡ଼ିଥିଲା ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ମହିମା ଚୌଧୁରୀଙ୍କର । ମହିମା ଫୁଡି ବିଶାଲଙ୍କୁ ଉକ୍ତ ବୃଦ୍ଧ ଦମ୍ପତିଙ୍କ ଠିକଣା ମାଗି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply