ମହିଳାଙ୍କ ଉଲଗ୍ନ ଶବ ବସ୍ତାରେ ଭରି ରାସ୍ତାରେ ବୁଲିଲା ଅଭିଯୁକ୍ତ

ମେରଠ: କାନ୍ଧରେ ଜଣେ ବ୍ୟକ୍ତି ଏକ ବସ୍ତା ପକାଇ ଏଣେ ତେଣେ ବୁଲୁଥିଲେ । ଏ ଗଳିରୁ ସେ ଗଳି ବୁଲିବା ଭିତରେ ଆସିଥିଲେ ବହୁତ ଲୋକଙ୍କ ନଜରରେ । ହେଲେ କହିଁକି ଲୋକଟି ଏମିତି ବୁଲୁଛି ? ବସ୍ତା ଭିତରେ କ’ଣ ଅଛି, କେହି ଜାଣିବାକୁ ଚାହିଁ ନଥିଲେ । ଏପରିକି ସାଧାରଣ ଘଟଣା ଭାବି ସମସ୍ତେ ବ୍ୟକ୍ତି ଜଣଙ୍କୁ ଅଣଦେଖା କରି ଦେଇଥିଲେ । ହେଲେ ରବିବାର ସକାଳୁ ବସ୍ତା ଭିତରୁ ଯାହା ବାହାରିଲା ତାହା ଉତ୍ତର ପ୍ରଦେଶର ମେରଠରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆଜ୍ଞା ହଁ, ବସ୍ତାଟି ଖୋଲିବା ପରେ ମେରଠର ଲୋକେ ସ୍ତବ୍ଧ ହୋଇଯାଇଛନ୍ତି । ଆଉ ଚିନ୍ତା କରୁଛନ୍ତି, ସେମାନଙ୍କ ସହ ରାସ୍ତାରେ ବୁଲୁଥିବା ବ୍ୟକ୍ତି ଜଣଙ୍କ ବସ୍ତାରେ ଜଣେ ମହିଳାଙ୍କ ଶବ ଭରି ଥିଲା ।

ରବିବାର ସକାଳୁ ମେରଠର ଯମୁନା ନଗରରୁ ଜଣେ ଅଚିହ୍ନ ମହିଳାଙ୍କ ଶବ ବସ୍ତାରେ ବନ୍ଧା ହୋଇ ପଡ଼ିଥିବା ବେଳେ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ସମ୍ପୂର୍ଣ୍ଣ ଉଲଗ୍ନ ଥିଲେ । ଏହା ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତରେ ଆଖପାଖରେ ଲାଗିଥିବା ସିସିଟିଭି ଭିଡିଓ ଦେଖିବା ପରେ ପୋଲିସର ହୋସ ଉଡ଼ି ଯାଇଥିଲା । କାରଣ, ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ଶବକୁ ବସ୍ତାରେ ଭରି ଏଣେତେଣେ ଏମିତି ବୁଲୁ ନଥିଲ । ବରଂ, ଶବକୁ ଠିକଣା ଲଗାଇବା ପାଇଁ ଏକ ଭଲ ସ୍ଥାନ ଖୋଜୁଥିଲା । ଏଥିପାଇଁ ବ୍ୟକ୍ତି ଜଣଙ୍କ ଏ ଗଳିରୁ ସେ ଗଳି ଶବକୁ କାନ୍ଧରେ ପକାଇ ଘୁରି ବୁଲୁଥିଲା । ଶେଷରେ ଯମୁନା ନଗର ଗ୍ୟାସ ଗୋଦାମ ପାଖରେ ବସ୍ତା ଫିଙ୍ଗି ଫେରାର ହୋଇଯାଇଥିଲା ।

ପୋଲିସ କହିବା ଅନୁସାରେ ମୃତ ମହିଳାଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ । ଶବ ଉଦ୍ଧାର ବେଳେ ତାଙ୍କ ଦେହରେ ଲୁଗା ନଥିଲା । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ, ତାଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଛି । ଏହାସହ ଅଭିଯୁକ୍ତ ଜଣଙ୍କର ମଧ୍ୟ ତଲାସୀ ଚାଲିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।