ସ୍ତ୍ରୀକୁ ପସନ୍ଦ ଆସିଲାନି ସ୍ୱାମୀର ଦାଢ଼ି, ଦାଢ଼ି ବିହୀନ ଦିଅର ସହ ହେଲା ଫେରାର !

ନନ୍ଦିଘୋଷ ବ୍ୟୁରୋ: ସ୍ବାମୀର ଦାଢ଼ି ସ୍ତ୍ରୀକୁ ପସନ୍ଦ ଆସିଲାନି । ଦାଢ଼ି କାଟିବାକୁ ସ୍ତ୍ରୀ ଜିଦ କଲେ ଆଉ ସ୍ବାମୀ ଦାଢ଼ି ନ କାଟିବାରୁ ଦିଅର ସହ ଫେରାର ହୋଇଗଲେ । ଏବେ ଆଇନର ଦ୍ବାରସ୍ତ ହୋଇଛନ୍ତି ସ୍ବାମୀ ।

ଏହି ଘଟଣା ଘଟିଛି ମିରଟରେ । ଏହି ଅଞ୍ଚଳର ମୌଲାନା ଶାକିରଙ୍କର ବିବାହ ପ୍ରାୟ ୭ ମାସ ପୂର୍ବରୁ ଅର୍ଶି ନାମକ ଯୁବତୀଙ୍କ ସହ ହୋଇଥିଲା । ଅର୍ଶିଙ୍କୁ ଶାକିରଙ୍କ ଦାଢ଼ି ବିଲକୁଲ ପସନ୍ଦ ଆସୁ ନଥିଲା । ଏଥିପାଇଁ ସବୁବେଳେ ସେ ସ୍ବାମୀଙ୍କୁ ଦାଢ଼ି କାଟିବାକୁ କହୁଥିଲେ । ଯଦି ଏକାଠି ରହିବାକୁ ଚାହାନ୍ତି ତାହାଲେ ଦାଢ଼ି କାଟିବାକୁ ପଡ଼ିବ ବୋଲି ଅର୍ଶି ସଫା ସଫା ଶୁଣାଇ ଦେଇଥିଲେ । ତେବେ ଶାକିର ତାଙ୍କୁ ସ୍ପଷ୍ଟ ମନା କରିଦେଲେ । କାରଣ ଏହା ଧାର୍ମିକ ବିଶ୍ବାସର ଏବଂ ଅଂଶ ବୋଲି ସ୍ବାମୀ କହିଥିଲେ । ଏହି କଥାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା । ପରିବାର ଲୋକଙ୍କୁ ଏକଥା କହିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେବେ ଅର୍ଶି ତାଙ୍କର ସବୁ ଜିନିଷପତ୍ର ନେଇ ଦିଅରଙ୍କ ସହ ଫେରାର ହୋଇଯାଇଛନ୍ତି ।

ଏବେ ପୋଲିସ ଷ୍ଟେସନରେ ଭାଇ ଏବଂ ସ୍ତ୍ରୀ ନିଖୋଜ ହୋଇଥିବା ରିପୋର୍ଟ ଦାଖଲ କରିଛନ୍ତି । ଏ ନେଇ ଅର୍ଶିଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରା ଯାଇଥିଲା । ସେମାନେ ଝିଅ ସହ କୌଣସି ସମ୍ପର୍କରେ ନ ଥିବା କହିଛନ୍ତି ।

ଅର୍ଶି ଏବେ ଶାକିରଙ୍କୁ ୫ ଲକ୍ଷ ଦେବାକୁ ଚାପ ପକାଉଛି । ଏହି ଘଟଣାର ତଦନ୍ତ କରି ନ୍ୟାୟ ମାଗିଛନ୍ତି ଶାକିର ।