ମୁରାଦାବାଦ କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ ମାମଲା: ‘ଖାଇବାକୁ ଖାଦ୍ୟ ଦେଉନ, ଭୁଲ ଇଞ୍ଜେକସନ ଦେଉଛ’… ଏମିତି କିଛି କହି ଡାକ୍ତରଙ୍କୁ କରାଯାଇଥିଲା ଟାର୍ଗେଟ୍

ମୁରାଦାବାଦ: ଉତ୍ତରପ୍ରଦେଶର ମୁରାଦାବାଦରେ ମେଡିକାଲ ଟିମ ଉପରେ ଆକ୍ରମଣ ମାମଲାରେ ବାକି ଆରୋପୀ ମାନଙ୍କୁ ଖୋଜାଚାଲିଛି । ଏଯାବତ ୧୭ ଜଣ ଆରୋପୀଙ୍କୁ ଗିରଫ କରାଯାଇଛି, ଅନ୍ୟ ଆରୋପୀଙ୍କ ଗିରଫଦାରୀ ପାଇଁ ସିସିଟିଭି ଫୁଟେଜ ଦେଖାଯାଉଛି । ପୁରା ଅଞ୍ଚଳରେ ରାପିଡ ଆକ୍ସନ ଫୋର୍ସ (ଆରଏଏଫ୍) ସହିତ ପୁଲିସ ଫୋର୍ୟ ମୁତୟନ କରାଯାଇଛି ।

ଇତି ମଧ୍ୟରେ ଆକ୍ରମଣର ଶିକାର ହୋଇଥିବା ଡାକ୍ତର ଆସ.ସି ଅଗ୍ରୱାଲ ପୁରା ଘଟଣାକୁ ବଖାଣିଛନ୍ତି । ସେ କହିଛନ୍ତି ଯେ ଶହ ଶହ ଲୋକ ହଠାତ ତାଙ୍କୁ ଆକ୍ରମଣ କରିବାକୁ ମାଡ଼ିଆସିଲେ  । ଆକ୍ରମଣରେ ସେ ତଳେ ପଡ଼ିଯାଇଥିଲେ । ଭିଡ଼ ଭିତରୁ ତାଙ୍କୁ ଜଣେ ବାହାର କରି ଥିଲେ ନହେଲେ ତାଙ୍କୁ ଜୀବନରୁ ମାରି ଦିଆଯାଇଥାନ୍ତା ବୋଲି ଡାକ୍ତର କହିଛନ୍ତି ।

ଡାକ୍ତର ଜଣଙ୍କ କହିଛନ୍ତି ଯେ, କରୋନା ପଜିଟିଭ ମୃତକଙ୍କ ପରିବାରବର୍ଗ କ୍ୱାରେଣ୍ଟାଇନରେ ରହିବାକୁ ପ୍ରସ୍ତୁତ ଥିଲେ ଏବଂ ସେମାନେ ଗାଡ଼ିରେ ମଧ୍ୟ ବସିସାରିଥିଲେ । ସେହି ସମୟରେ ହଠାତ ଲୋକଙ୍କ ଭିଡ଼ ଜମା ହେଲା ଏବଂ ସେମାନେ ମାରଣାନ୍ତକ ଆକ୍ରମଣ କରିବା ଆରମ୍ଭ କରିଦେଲେ । ଭିଡ଼ ମଧ୍ୟରୁ କିଛି ଲୋକ କହୁଥିଲେ ଯେ, ‘ ଖାଇବାକୁ କିଛି ଦିଆହେଉନି, ଭୁଲ ଇଞ୍ଜେକସନ ଲଗା ହେଉଛି, ଏବଂ ତା ପରେ ଲୋକମାନେ  ପଥର ମାରିବା ଆରମ୍ଭ କରିଦେଲେ ।  ଗୋଟିଏ ଇଟା ଡାକ୍ତରଙ୍କ ମୁଣ୍ଡରେ ମଧ୍ୟ ବାଜିଥିଲା ।

କଣ ଥିଲା ପୂରା ମାମଲା – ମୋରାଦାବାଦର ନବାବପୁରା ଗଳିରେ ଅବସ୍ଥିତ ହାଜିନେବଙ୍କ ମସଜିଦ ଅଞ୍ଚଳରେ ରହୁଥିବା ସରତାଜଙ୍କ ମୃତ୍ୟୁ ହୋଇଥିଲା । ସେ କରୋନା ପଜିଟିଭ୍ ବୋଲି ଜଣାପଡିଥିଲେ । ଏହା ପରେ ଡାକ୍ତରୀ ଦଳ ମୃତକଙ୍କ ପରିବାର ପାଖରେ ପହଞ୍ଚିଥିଲେ ଏବଂ ପରିବାର ସଦସ୍ୟଙ୍କୁ  କ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ । ତେବେ ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପୋଲିସ ଟିମ୍ ଉପରେ ହଠାତ୍ ସେହି ଅଞ୍ଚଳର ଲୋକମାନେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ ।

ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଏବଂ କର୍ମଚାରୀମାନେ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଥିଲେ ଏବଂ ପୋଲିସର ଦୁଇଟି ଗାଡି ଭଙ୍ଗାରୁଜା କରିଥିଲେ। ଏହା ପରେ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଏହି ସମୟ ମଧ୍ୟ ପଥର ଫିଙ୍ଗିବା ମଧ୍ୟ ଜାରି ରହିଥିଲା। ଅନେକ ମହିଳା ଛାତରୁ ପଥର ଫିଙ୍ଗିଥିବାର ନଜର ଆସିଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

Leave a Reply