ଆୟୁଷ୍ମାନ କାର୍ଡକୁ ଭରସା କରି ଜୀବନ ଗଲା, ଦୂର ହେଉନି ମାଳ ମାଳ ଅଭିଯୋଗ

1 min read

ନନ୍ଦିଘୋଷ ବ୍ୟୁରୋ: ଆୟୁଷ୍ମାନ ଯୋଜନାରେ ହଇରାଣ ହରକତ ହେଉଛନ୍ତି ଗୁରୁତର ରୋଗୀ । କାର୍ଡ଼ ଥିଲେ ବି ଜୀବନ ପାଉନାହାନ୍ତି ରୋଗୀ । ରୋଗୀଙ୍କୁ ମାରମାର କରୁଛନ୍ତି ଘରୋଇ ହସ୍ପିଟାଲ। ସଫ୍ଟଓ୍ବେର, ପରିଚାଳନାଗତ ସମସ୍ୟା ଓ ପ୍ୟାକେଜ୍ ଦରକୁ ନେଇ ଘରୋଇ ହସ୍ପିଟାଲ ସଂଘ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା । ହେଲେ ରାଉରକେଲାରୁ ଭୁବନେଶ୍ବର ଯାଏଁ ରୋଗୀ ଚିକିତ୍ସା ପାଇଁ ଡହଳବିକଳ ହୋଇ ପ୍ରାଣବାୟୁ ଉଡ଼ିଗଲା । ବଲାଙ୍ଗୀରରେ କର୍କଟ ରୋଗୀ ବି ଆୟୁଷ୍ମାନ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ନ୍ୟାସନାଲ ପୋର୍ଟାଲ ଯୋଗୁଁ ସମସ୍ୟା ହେଉଛି କହି ସ୍ବାସ୍ଥ୍ୟ ବିଭାଗ ନିଜ ଦାୟିତ୍ବ ସାରିଦେଇଛନ୍ତି । ନନ୍ଦିଘୋଷ ଟିଭିରେ ଲଗାତାର ଖବର ପ୍ରସାରଣ ପରେ ସରକାରଙ୍କ ନିଦ ଭାଙ୍ଗିଲା । ଆସନ୍ତା ସୋମବାର ସ୍ବାସ୍ଥ୍ୟ ବିଭାଗ ଡାକିଛି ବୈଠକ ।

ରାଉରକେଲାର ଟି. କାମେଶ୍ବର ରାଓ । ଆୟୁଷ୍ମାନ କାର୍ଡ଼ ପାଇଥିଲେ। ହେଲେ କାର୍ଡ଼ର ପେଞ୍ଚ ତାଙ୍କ ଜୀବନ ନେଇଗଲା । କର୍କଟ ରୋଗରେ ଆକ୍ରାନ୍ତ ବଲାଙ୍ଗୀରର କୁନି ସୁନା । ଆୟୁଷ୍ମାନ କାର୍ଡ଼ ସହାୟତାରେ ଚିକିତ୍ସା ପାଇଲେନି । ରାଉରକେଲାରେ ଆୟୁଷ୍ମାନ କାର୍ଡ଼ରେ କିଡ଼ନୀ ରୋଗୀଙ୍କ ଡାଏଲିସିସି ହୋଇପାରୁନି । ଆୟୁଷ୍ମାନ କାର୍ଡ଼ ଦେଖିଲେ ଘରୋଇ ହସ୍ପିଟାଲ ରୋଗୀଙ୍କୁ ମାରମାର କରୁଛନ୍ତି । ଆୟୁଷ୍ମାନ କାର୍ଡ଼କୁ ନେଇ ଏମିତି ମାଳମାଳ ଅଭିଯୋଗ ଓ ଦୁଃଖ । କାର୍ଡ଼ ଜାରି କରି ବାହାବା ନେଇଗଲେ ଡବଲ ଇଞ୍ଜିନ ସରକାର । ଏବେ ରୋଗୀ ଭୋଗୁଛନ୍ତି ଦଶା । ରୋଗୀ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ୧୦ଟି ଓଟିପି ସମସ୍ୟା, ରୋଗୀର ବିବରଣୀ ଲେଖିଲା ବେଳକୁ ସଫ୍ଟଓ୍ବର ସିଷ୍ଟମରେ ଅପଲୋଡ଼ିଂ ସମସ୍ୟା । ଖାଲି ସେତିକି ନୁହେଁ, ପ୍ୟାକେଜ୍ ସମସ୍ୟା ସହିତ ରୋଗୀ ଡିସଚାର୍ଜ ହେଲା ବେଳକୁ ଡାକ୍ତରଙ୍କ ଫଟୋ ସାଙ୍ଗକୁ ଫିଙ୍ଗର ପ୍ରିଣ୍ଟ ବ୍ୟବସ୍ଥା ରୋଗୀର ଚିକିତ୍ସା ସେବାରେ ବାଧକ ସାଜୁଛି । ନନ୍ଦିଘୋଷ ଟିଭିରେ ବିଭିନ୍ନ ରୋଗୀଙ୍କ ଅବସ୍ଥା ନେଇ ଖବର ପ୍ରସାରଣ ପରେ ସରକାରଙ୍କ ନିଦ ଭାଙ୍ଗିଛି । ଆସନ୍ତା ସୋମବାର ବିଭିନ୍ନ ଷ୍ଟେକ ହୋଲଡ଼ରଙ୍କ ସହ ଆଲୋଚନା କରିବ ସ୍ବାସ୍ଥ୍ୟ ବିଭାଗ ।

୨୦୦୭ରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାରେ ରୋଗ ପ୍ୟାକେଜ ଦର ଯାହା ଥିଲା ୧୮ ବର୍ଷ ପରେ ସେହି ଦରରେ ଅତ୍ୟାଧୁନିକ ଚିକିତ୍ସା କେମିତି ମିଳିପାରିବ । ଏତେ କମ ଦରରେ ରୋଗୀ ଚିକିତ୍ସା କରିବା ଅସମ୍ଭବ ବୋଲି ରୋକ୍ ଠୋକ୍ ଜଣାଇଛନ୍ତି ଘରୋଇ ହସ୍ପିଟାଲ। ଏହା ଭିତରେ ମୁଦ୍ରାସ୍ଫିତୀ ଯୋଗୁଁ ଟଙ୍କାର ମୂଲ୍ୟ କମିଛି । ୧୮ ବର୍ଷ ଭିତରେ ଲୋକଙ୍କ ରୋଜଗାର ବଢିଥିବା ବେଳେ ୧୮ ବର୍ଷ ତଳର ରେଟରେ କିପରି ଚିକିତ୍ସା ହୋଇପାରିବ ବୋଲି ଡାକ୍ତରମାନେ ପ୍ରଶ୍ନ କରିଛନ୍ତି । ପ୍ୟାକେଜ୍ ଦରକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁହଁ ଖୋଲୁ ନଥିବା ବେଳେ ସଫ୍ଟଓ୍ବେର ସମସ୍ୟା କଥା ସ୍ବୀକାର କରିଛନ୍ତି । ଏଥିପାଇଁ ନ୍ୟାସନାଲ ପୋର୍ଟାଲକୁ ଦୋଷ ଠେଲି ଦେଇଛନ୍ତି ।

ଆୟୁଷ୍ମାନ ଯୋଜନା ସରକାର ଆଣିବା ପରେ ଲୋକେ ଏହାକୁ ନବୀନ ସରକାରର BSKY ସହ ତୁଳନା କରିଛନ୍ତି । BSKYରେ ଥିଲା ନିଃସର୍ତ୍ତ ସ୍ବାସ୍ଥ୍ୟ ସେବା । ହେଲେ ଆୟୁଷ୍ମାନରେ ପ୍ରତି ପାହାଚରେ ଅନେକ ସର୍ତ୍ତ ଓ ଦ୍ବନ୍ଦ୍ବ । ସରକାର ଏହାର ସମାଧାନ ପାଇଁ ବୈଠକ ଡାକିଥିବାରୁ ଏହା କେତେ ଫଳପ୍ରଦ ହେଉଛି ତାକୁ ରୋଗୀ ମହଲ ଅପେକ୍ଷା କରିଛନ୍ତି ।