ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ୩ଟି ମେଡିକାଲ କଲେଜ ଓ ହସ୍ପିଟାଲ

1 min read

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଆଉ ୩ଟି ମେଡିକାଲ କଲେଜ ଓ ହସ୍ପିଟାଲ । ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନରେ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି । ଏହା ସହିତ ଜଡିତ ଥିବା ବିଭାଗ ଏବଂ ବ୍ୟକ୍ତିବିଶେଷ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦାନ କରିଥିଲେ । ଏହି ୩ଟି ମେଡିକାଲ କଲେଜର ଅଗ୍ରଗତିକୁ ଫାଷ୍ଟଟ୍ରାକ ମାଧ୍ୟମରେ ନିଜେ ମୁଖ୍ୟ ଶାସନ ସଚିବ ଅନୁଧ୍ୟାନ କରିବେ ।

ଚଳିତ ଡିସେମ୍ବର ଶେଷ ସୁଦ୍ଧା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଅନ୍ୟାନ୍ୟ ଅନୁମତି ପାଇଁ ମେଡିକାଲ କାଉନସିଲ ଅଫ ଇଣ୍ଡିଆକୁ ଆବେଦନ କରାଯିବ । ଏହି ୩ଟି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ହେଉଛି- ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ । ସୁନ୍ଦରଗଡସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ପୁରୀସ୍ଥିତ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ । ୨୦୨୧-୨୧ ଶିକ୍ଷାବର୍ଷରୁ ୧୦୦ ଲେଖାଏ ସିଟ୍ ନାମଲେଖା ନେଇ ତତ୍ପରତା ପ୍ରକାଶ ପାଉଛି । ତାଳଚେରସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏମସିଏଲ, ସୁନ୍ଦରଗଡସ୍ଥିତ ହସ୍ପିଟାଲକୁ ଏନଟିପିସି ସହାୟତା କରୁଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି, ଏନଟିପିସି ଏବଂ ଏମସିଏଲ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave a Reply