ଏତେ ଦିନେ କଥା ଶୁଣିଲେ ନବୀନ ବାବୁ

1 min read

ସମସ୍ତେ କହୁଥିଲେ କନ୍ଧମାଳ ପାଇଁ କେହି ନାହାନ୍ତି…. । କିନ୍ତୁ ବିଳମ୍ବ ହେଲେ ବି ମୁଖ୍ୟମନ୍ତ୍ରୀ କନ୍ଧମାଳବାସୀଙ୍କ ଦୁଃଖ ଦୂର କରିଛନ୍ତି । କନ୍ଧମାଳ ଜିଲ୍ଲାରେ ଏକ ମେଡିକାଲ କଲେଜ ହେବ । ଏହି ଖବର କାହା ପାଇଁ କେମିତି କେଜାଣି କିନ୍ତୁ କନ୍ଧମାଳ ଜିଲ୍ଲାର ୧୨ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ଏହା କେବଳ ବଡ଼ ଖବର ନୁହେଁ, ଖୁସି ହେଲା ଭଳି ଖବର I କାରଣ ଜୀବନ ଥାଉ ଥାଉ ଲୋକ ଆଉ ଯମ ଦୁଆରକୁ ଯିବେନି । ଜର କି ଝାଡ଼ାବାନ୍ତି ହେଲେ ଆଉ ଗୁଣିଆ ପାଖକୁ ଦୌଡ଼ିବାକୁ ପଡ଼ିବନି କି ପୂଜା ପାଠ କରି ଗାଁରୁ ଡାହାଣୀ ଚିରୁଗୁଣୀଙ୍କୁ ତଡ଼ିବାକୁ ପଡ଼ିବନି……. ଲୋକେ ଅନ୍ଧ ବିଶ୍ୱାସ ଛାଡ଼ି ମେଡିକାଲକୁ ଚିକିତ୍ସା ପାଇଁ ଆସିବେ I

କନ୍ଧମାଳ ଜିଲ୍ଲାର୧୨ଟି ବ୍ଲକ ୧୫୩ ପଞ୍ଚାୟତ I ଶୁଣିବାକୁ ସଂଖ୍ୟା କମ୍ ଲାଗୁଥିଲେ ବି ବୃହତ୍ I ସବୁଜ ବନାନୀରେ ଭରପୁର ଜିଲ୍ଲା ହେଉଛି କନ୍ଧମାଳ I ଆର୍ଥିକ, ସାମାଜିକ କ୍ଷେତ୍ରରେ ପଛୁଆ ଜିଲ୍ଲା I କେବେ ଗରିବୀ ତ କେବେ ମାଓବାଦ ତ ଆଉ କେବେ ପୁଣି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ଖବରର ଶିରୋନାମା ପାଲଟେ କନ୍ଧମାଳ I

ଏଠି ରାସ୍ତା ନଥିବାରୁ କାହାର ଜୀବନ କେବେ ଅକାଳରେ ଝଡ଼ିଯାଏ I କେବେ କେବେ ରାସ୍ତା ଥାଇ ମଧ୍ୟ କୌଣସି ଗାଡ଼ି କି ଆମ୍ବୁଲାନ୍ସ ପହଞ୍ଚି ପାରେନା I କାରଣ ଏଠି ସବୁବେଳେ ନଥାଏ ନେଟୱର୍କ I ପାହାଡ଼ ଡେଇଁ ଡେଇଁ ୬ ଘଣ୍ଟା ଚାଲିଲେ ଗାଁ ପଡ଼େ I ଫେରିବା ବେଳକୁ ଅନ୍ଧାର ରାଜୁତି କରି ସାରିଥାଏ I ଓଡ଼ିଶାର ମଧ୍ୟଭାଗରେ ଥିବା ଏହି ଜିଲ୍ଲା ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସବୁବେଳେ ଜୁଝି ଥାଏ I

ଏବେ ଆଉ ସେମିତି ହେବନି I ସରକାର ଏ ଜିଲ୍ଲାର ଆଦିବାସୀ, ଦଳିତଙ୍କ ସ୍ୱର ଶୁଣିଛନ୍ତି I ଦୁର୍ଗମ, ଅଗମ୍ୟ ଇଲାକାକୁ ବିକାଶର ରାସ୍ତା ଫିଟୁଛି I କଥା ହେବାକୁ ଟାୱାର ବସୁଛି I ଜିଲ୍ଲାବାସୀଙ୍କୁ ଉତ୍ତମ, ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଇଛନ୍ତି I

ନିଜ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ପାଇଁ କରିଛନ୍ତି ବଡ଼ ଘୋଷଣା I ସଦର ମହକୁମା ଫୁଲବାଣୀରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ I ଜିଲ୍ଲା ଚିକିତ୍ସାଳୟକୁ ଅପଗ୍ରେଡ୍ କରାଯାଇ ମେଡିକାଲ କଲେଜରେ ପରିଣତ କରାଯିବ I ଏଥିସହ ମେଡିକାଲର ଶଯ୍ୟା ସଂଖ୍ୟା ୫୦୦ ବେଡକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି I

କନ୍ଧମାଳ ପାଇଁ କେତେ ଜରୁରୀ ମେଡିକାଲ କଲେଜ

ଜିଲ୍ଲାର ଅଧିକାଂଶ ଇଲାକା ଗ୍ରାମାଞ୍ଚଳ I ଅନ୍ଧବିଶ୍ୱାସ ଉପରେ ଭରସା କରନ୍ତି ପ୍ରାୟ ଲୋକ I କାରଣ ପାଖରେ ଡାକ୍ତରଖାନା ନଥାଏ ଥିଲେ ବି ଡାକ୍ତର କି କର୍ମଚାରୀ ନଥାନ୍ତି I ଯେଉଁଥିପାଇଁ ଲୋକମାନେ ବିଶ୍ୱାସ କରନ୍ତି ଗୁଣି ଗାରେଡି ଉପରେ I ସମୟ ବଦଳିବା ସହ ସଚେତନତା ଯୋଗୁଁ ଲୋକମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି I ସ୍ୱାସ୍ଥ୍ୟସେବା ଉପରେ ଲୋକ ନିର୍ଭରଶୀଳ ହୋଇଛନ୍ତି I

ବିଡ଼ମ୍ବନା ହେଉଛି ଜିଲ୍ଲାର ଲୋକ ସଂଖ୍ୟା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଠି ଅଛନ୍ତି ମାତ୍ର ୧୨୫ ଜଣ ଡାକ୍ତର I ଜିଲ୍ଲା ଚିକିତ୍ସାଳୟକୁ ମିଶାଇ ସମଗ୍ର ଜିଲ୍ଲାରେ ୨୧୫ ଜଣ ଡାକ୍ତର ପଦକୁ ସରକାର ମଞ୍ଜୁରୀ ଦେଇଛନ୍ତି I ହେଲେ ଜିଲ୍ଲାରେ ୧୨୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଥିବା ବେଳେ ୯୦ରୁ ଅଧିକ ଡାକ୍ତର ପଦ ଖାଲି ପଡ଼ିଛି I ପ୍ରତି ୫୫୮୧ ଲୋକରେ ସରକାର ଜଣେ ଡାକ୍ତରକୁ ମଞ୍ଜୁରୀ ଦେଇଛନ୍ତି I କିନ୍ତୁ, ଜିଲ୍ଲାରେ ମାତ୍ର ୧୨୫ ଜଣ ଡାକ୍ତର ନିଯୁକ୍ତି ପାଇଥିବାରୁ ପ୍ରତି ୯୬୦୦ ଲୋକଙ୍କ ଭାଗରେ ପଡ଼ୁଛନ୍ତି ଜଣେ ମାତ୍ର ଡାକ୍ତର I

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କନ୍ଧମାଳ ଜିଲ୍ଲାର ଏ ପରିସଂଖ୍ୟାନ ଆଶ୍ଚର୍ଯ୍ୟ ଲାଗିଲେ ବି ସତ I ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ସଂଖ୍ୟା ବି ଆହୁରି ସାଂଘାତିକ I ଜିଲ୍ଲା ଚିକିତ୍ସାଳୟରେ ୬୯ ଡାକ୍ତର ନିଯୁକ୍ତି ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ମାତ୍ର ଅଛନ୍ତି ୨୯ ଜଣ I ଅର୍ଥାତ୍ ସରକାରଙ୍କ ମଞ୍ଜୁରୀ ଅନୁସାରେ ୫୭ ପ୍ରତିଶତ ଡାକ୍ତରୀ ପଦ ଖାଲି ପଡ଼ିଛି I

ଇଏନଟି, ପାଥୋଲୋଜି, ଚର୍ମ ବିଭାଗରେ କେହି ବି ଡାକ୍ତର ନାହାନ୍ତି I ସର୍ଜରୀ, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗରେ କେବଳ କନ୍ସୁଲଟାଣ୍ଟକୁ ନେଇ ଚାଲିଛି ସ୍ୱାସ୍ଥ୍ୟସେବା I ଡାକ୍ତର ଅଭାବ ସତ୍ତ୍ୱେ ଜିଲ୍ଲା ହସ୍ପିଟାଲକୁ ଦୈନିକ ୯୦୦ ରୋଗୀ ବହିଃବିଭାଗକୁ ଆସିଥାନ୍ତି I ବିଶେଷଜ୍ଞ ଅଭାବରୁ ବାହାରକୁ ପ୍ରତିଦିନ ହାରାହାରି ୮ ଜଣ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥାଏ I ବର୍ଷକ ମଧ୍ୟରେ ପ୍ରାୟ ୨୭୦୦ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି I ଉପଯୁକ୍ତ ଭିତ୍ତିଭୂମି, କର୍ମଚାରୀ ଓ ଡାକ୍ତର ଅଭାବରୁ ବର୍ଷକରେ ୪୬୫ ଜଣ ରୋଗୀ ମେଡିକାଲରେ ପ୍ରାଣ ହରାଇଛନ୍ତି I

ଏହା ଛଡ଼ା ଜିଲ୍ଲା ନିକଟରେ ୧୦୦ କିମି ଭିତରେ ସ୍ୱାସ୍ଥ୍ୟସେବାର ସେମିତି କିଛି ବଡ଼ ସୁଯୋଗ ନାହିଁ I ଡାକ୍ତର ରେଫର କଲେ ବ୍ରହ୍ମପୁର ନ ହେଲେ ବୁର୍ଲା ବଡ଼ ମେଡିକାଲ I ସେତକି ନ ହେଲେ ସିଧା କଟକ I ଜିଲ୍ଲା ସଦର ମହକୁମା ଫୁଲବାଣୀରୁ ବ୍ରହ୍ମପୁର ଦୂରତା ପ୍ରାୟ ୧୬୦ କିମି I ଯିବା ପାଇଁ ଦରକାର ୪ ଘଣ୍ଟାରୁ ଅଧିକ ସମୟ I ସେହିଭଳି ବୁର୍ଲା ୧୮୦ କିମି ଦୂରରେ ଥିବା ବେଳେ ୫ ଘଣ୍ଟାରୁ ଅଧିକ ସମୟ ଲାଗେ I କଟକ କଥା ନ କହିବା ଭଲ I ଫୁଲବାଣୀରୁ ଏହାର ଦୂରତା ୨୧୦ କିମିରୁ ଅଧିକ ହୋଇଥିବା ବେଳେ ଆସିବାକୁ ପ୍ରାୟ ୭ ଘଣ୍ଟା ସମୟ ଲାଗେ I ରୋଗୀ ଅବସ୍ଥା ଗୁରୁତର ଥିଲେ ବ୍ରହ୍ମପୁର, ବୁର୍ଲା କିମ୍ବା କଟକ ଆଣି ଚିକିତ୍ସା କରିବା ପ୍ରାୟତଃ ଅସମ୍ଭବ I ଏପରି ସ୍ଥଳେ ରୋଗୀ ମୃତ୍ୟୁବରଣ କରିବା ଥୟ I

ଭୌଗୋଳିକ ଓ ଅର୍ଥନୈତିକ ଦୃଷ୍ଟି କୋଣରୁ ଜିଲ୍ଲାରେ ମେଡିକାଲ କଲେଜର ଆବଶ୍ୟକତା ରହିଛି I ତା ଛଡ଼ା ଜିଲ୍ଲାରେ ଲାଗି ରହିଥିବା ଡାକ୍ତର ଅଭାବ ସମସ୍ୟାର ମୁକାବିଲା ପାଇଁ ମେଡିକାଲ କଲେଜ ସହାୟକ ହେବ I ମେଡିକାଲ କଲେଜ ହେଲେ ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିବ I

ମେଡିକାଲ କଲେଜ ପ୍ରତିଷ୍ଠା ହେଲେ କେବଳ କନ୍ଧମାଳ ଜିଲ୍ଲାବାସୀ କାହିଁକି ଏହାର ସୁବିଧା ବୌଦ୍ଧ, ସୋନପୁର ସହ ପଡ଼ୋଶୀ ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାବାସୀ ପାଇବେ I ')}

Leave a Reply