ପାକିସ୍ତାନ POK ଖାଲି କରୁ, ତୃତୀୟ ପକ୍ଷ କାଶ୍ମୀର ପ୍ରସଙ୍ଗରୁ ଦୂରେଇ ରୁହନ୍ତୁ: ଭାରତ

ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ ଓ କାଶ୍ମୀରକୁ ନେଇ ସମସ୍ତ ସମସ୍ୟା କେବଳ ଦୁଇ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହେବ । ଏଥିରେ କୌଣସି ତୃତୀୟ ପକ୍ଷଙ୍କ କୌଣସି ଭୂମିକା ନାହିଁ । ତୃତୀୟ ପକ୍ଷ ଏଥିରୁ ଦୂରେଇ ରୁହନ୍ତୁ । ଆଜି ସାମ୍ବାଦିକ ସମ୍ମିଳନୀରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସାରା ବିଶ୍ବକୁ ଏନେଇ ସ୍ପଷ୍ଟ କରିଦିଆଯାଇଛି । ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଣଧିର ଜୟସଓ୍ବାଲ କହିଛନ୍ତି, ପାକିସ୍ତାନ ଅବୈଧ ଭାବେ ଦଖଲ କରିଥିବା କାଶ୍ମୀରକୁ ତୁରନ୍ତ ଖାଲି କରୁ । ଭାରତର ଏହି ନୀତି ପୂର୍ବରୁ ରହି ଆସିଛି ଓ ଏଥିରେ କୌଣସି ପରିବର୍ତ୍ତନ ହୋଇନି କି ହେବ ନାହିଁ ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୧୦ ମେ’ରେ ଭାରତ ଓ ପାକିସ୍ତାନ ଡିଜିଏମଓଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଅସ୍ତ୍ରବିରତି ଉପରେ ସହମତି ହୋଇଥିଲା । ପାକିସ୍ତାନ ପଟରୁ ଏଥିପାଇଁ ଅନୁରୋଧ କରାଯାଇଥିଲା । ଉକ୍ତ ଦିନ ମଧ୍ୟାହ୍ନ ୧୨ଟା ୩୭ରେ ପାକିସ୍ତାନ ପକ୍ଷରୁ ଭାରତ ସହ ଯୋଗାଯୋଗ କରାଯାଇଥିଲା । କାରଣ ଟେକ୍ନିକାଲ କାରଣରୁ ହଟଲାଇନରେ ଭାରତ ସହ ସମ୍ପର୍କ ହୋଇପାରି ନଥିଲା । ଏହାପରେ ଭାରତୀୟ ଡିଜିଏମଓଙ୍କ ଉପଲବ୍ଧି ଆଧାରରେ ଗୋଟାଏ ୩୫ ମିନିଟରେ ଆଲୋଚନା ହୋଇଥିଲା ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି, ପାକିସ୍ତାନ ନାଚାର ଥିଲା । କାରଣ, ଉକ୍ତଦିନ ଭୋରୁ ଭାରତୀୟ ବାୟୁସେନା ପାକିସ୍ତାନର ପ୍ରମୁଖ ଏୟାରଫୋର୍ସ ଠିକଣାରେ ଭୟଙ୍କର ଆକ୍ରମଣ କରିଥିଲା । ଏହା ଭାରତୀୟ ସେନାର ଶକ୍ତି ଥିଲା, ଯାହା ପାକିସ୍ତାନକୁ ଗୁଳିଗୋଳା ମାଡ଼ ଓ ସୈନ୍ୟ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ବାଧ୍ୟ କରିଥିଲା ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହା ବି ସ୍ପଷ୍ଟ କରାଯାଇଛି, ଅନ୍ୟ ଦେଶଙ୍କ ସହ ଆଲୋଚନା ବେଳେ ଭାରତ ଗୋଟିଏ କଥା କହିଛି । ୨୨ ଏପ୍ରିଲରେ ହୋଇଥିବା ନରସଂହାର ଜବାବ ଦେବାକୁ ଯାଇ ଭାରତ କେବଳ ଆତଙ୍କବାଦ କେନ୍ଦ୍ରକୁ ଟାର୍ଗେଟ କରିଛି । ଯଦି ପାକିସ୍ତାନ ସେନା ଆକ୍ରମଣ କରିବ ତେବେ ଭାରତ ତା’ର ଜବାବ ଦେବ । ଯଦି ପାକିସ୍ତାନ ଚୁପ ରହିବ ତେବେ ଭାରତ ଆକ୍ରମଣ କରିବ ନାହିଁ । ଅପରେସନ ସିନ୍ଦୂର ଆରମ୍ଭ ହେବା ସମୟରେ ହିଁ ଏ ସୂଚନା ପାକିସ୍ତାନକୁ ଦେଇ ଦିଆଯାଇଥିଲା । ଯାହାକୁ ସେ ସମୟରେ ପାକିସ୍ତାନ ଅଣଦେଖା କରି ଦେଇଥିଲା ।

ଆମେରିକା ରାଷ୍ଟ୍ରପତିଙ୍କ କାଶ୍ମୀର ପ୍ରସଙ୍ଗରେ ବୟାନକୁ ନେଇ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଭାରତର ନୀତି ସ୍ପଷ୍ଟ । ଜମ୍ମୁ ଓ କାଶ୍ମୀର ସହ ଜଡ଼ିତ ସମସ୍ତ ସମସ୍ୟା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପକ୍ଷିକ ପ୍ରସଙ୍ଗ । ଏହି ନୀତିରେ କୌଣସି ପରିବର୍ତ୍ତନ ହୋଇନି । ଅବୈଧ ଭାବେ ପାକିସ୍ତାନ ଦଖଲରେ ରଖିଥିବା ପିଓକେକୁ ଶୀଘ୍ର ଖାଲି କରୁ । ୭ରୁ ୧୦ ମେ’ ମଧ୍ୟରେ ଅପରେସନ ସିନ୍ଦୂର ସମୟରେ ଭାରତ ଓ ଆମେରିକା ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ କେବଳ ସୈନ୍ୟ ସ୍ଥିତି ଉପରେ ଆଲୋଚନା ହୋଇଥିଲା । ବେପାର ସହ ଜଡ଼ିତ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ହୋଇନି ।

ଏହାସହ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ଦିଆଯାଇଥିବା ପ୍ରତିକ୍ରିୟା ଉପରେ କଡ଼ା ଟିପ୍ପଣୀ ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଯେଉଁ ଦେଶ ଆତଙ୍କବାଦୀଙ୍କୁ ଉଦ୍ୟୋଗ ଭଳି ପାଳିଛି, ଆଉ ଭାବୁଛି ଆତଙ୍କବାଦରୁ ବର୍ତ୍ତି ଯିବ ତେବେ ସେ ନିଜକୁ ଠକୁଛି । ଯେଉଁ ଆତଙ୍କବାଦୀ ଶିବିରିକୁ ଆମେ ନଷ୍ଟ କରିଛି, ସେମାନେ ନା କେବଳ ଭାରତ ବରଂ ସାରା ଦୁନିଆରେ ନିର୍ଦ୍ଦୋଶ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ । ଏବେ ଏକ ନୂଆ ଧାରଣା ଆସିଛି, ଯେତେ ଶୀଘ୍ର ପାକିସ୍ତାନ ଏହାକୁ ସ୍ବୀକାର କରିବ, ତା’ ପାଇଁ ଲାଭଦାୟକ ହେବ ।