କବେୟା ଦରମା ଓ ସ୍ଥାୟୀ ନିଯୁକ୍ତି ଦାବିରେ MBK, CRP ଓ ବ୍ୟାଙ୍କ୍ ମିତ୍ରଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

1 min read

ଗଜପତି: ସରକାରଙ୍କ ବିରୋଧରେ ଗଜପତି ଜିଲ୍ଲାରେ MBK, CRP ଓ ବ୍ୟାଙ୍କ୍ ମିତ୍ରଙ୍କ ରଣହୁଙ୍କାର । ଶହ ଶହ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବକେୟା ଦରମା ଓ ସ୍ଥାୟୀ ନିଯୁକ୍ତି କଲେ ଦାବି ।

ସୂଚନାଯୋଗ୍ୟ, ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦେଇ ଆସୁଥିଲେ ପୂର୍ବ ସରକାର । ପଞ୍ଚାୟତ ସ୍ଥରରେ ଏସଏଚଜିର ସମସ୍ତ ନଥିପତ୍ରଠାରୁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ MBK, CRP ଓ ବ୍ୟାଙ୍କ୍ ମିତ୍ରଙ୍କୁ ନିଯୁକ୍ତି ସହ ଗମନାଗମନ ପାଇଁ ସ୍କୁଟି ପ୍ରଦାନ ମଧ୍ୟ କରିଥିଲେ । ସରକାର ବଦଳିବା ପରେ ଏମାନଙ୍କ ସମସ୍ୟା ବଢ଼ିଯାଇଛି । ଏକାଧିକ ମାସ ଧରି ଏମାନେ ପାଇନାହାନ୍ତି ପାରିଶ୍ରମିକ । ଦରମା ପାଇବାରୁ ବଞ୍ଚିତ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । କରିଛନ୍ତି ଜିଲ୍ଲାପାଳଙ୍କ ଅଫିସ ଘେରାଉ ।

ଗଜପତି ଜିଲ୍ଲାରେ ଶହ ଶହ ମହିଳା ସମସ୍ତ ବ୍ଲକ ଘେରାଉ କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ MBK, CRP ଏବଂ ବ୍ୟାଙ୍କ ମିତ୍ର । ପୂର୍ବ ସରକାରଙ୍କ ଘୋଷିତ ଦରମା ସାଙ୍ଗକୁ ବକେୟା ଦରମା ଓ ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ୬ ଦଫା ଦାବି ନେଇ ଜିଲ୍ଲାର ବିଭିନ୍ନ ବ୍ଲକର ଶହ ଶହ ମହିଳା ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।ଏହାସହ ଦାବି ପୂରଣ ନ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।