ମୟୂରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ’ଆମ ଓଡ଼ିଶା ନବୀନ ଓଡ଼ିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର:  ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୦ମ ଦିନରେ ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।

ଏଥିପାଇଁ ମୟୁରଭଞ୍ଜ ଜିଲ୍ଲାର  ୪ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୦.୫୦ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଯଶିପୁର, କରଞ୍ଜିଆ, ସାରସକଣା ଓ ରାଇରଙ୍ଗପୁର  ।  ଏହିସବୁ ନିର୍ବାଚନ ମଣ୍ଡଳୀର ୧୩ଟି ବ୍ଲକ୍‌‌ର ୧୮୧ଟି  ଗ୍ରାମ ପଞ୍ଚାୟତରେ ୨୪୨୭ଟି ପ୍ରକଳ୍ପ ହେବ। ସେହିପରି ସମ୍ବଲପୁର ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ ପାଇଁ ୬୯ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରେଢାଖୋଲ, ରେଙ୍ଗାଲି ଓ କୁଚିଣ୍ଡା।  ଏଥିରେ ୯ଟି ବ୍ଲକ୍‌ର ୧୩୮ଟି   ଗ୍ରାମପଞ୍ଚାୟତରେ ୧୮୦୧ଟି ପ୍ରକଳ୍ପ କରାଯିବ। ସେହିପରି ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୫୫.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଚିତ୍ରକୋଣ୍ଡା ଓ ମାଲକାନଗିରି। ଏହିସବୁ ନିର୍ବାଚନମଣ୍ଡଳୀର ୭ଟି ବ୍ଲକ୍‌‌ର ୧୧୧ଟି  ଗ୍ରାମ ପଞ୍ଚାୟତରେ ୧୪୩୦ଟି ପ୍ରକଳ୍ପ ହେବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ।