ଭଙ୍ଗା ବାରଣ୍ଡାରେ ଚାଲିଛି ପାଠପଢା: ମୟୂରଭଞ୍ଜ ଜିଲ୍ଲା ଡାହିସାହି ଗାଁରେ ଦିଗହରା ସମନ୍ବିତ ମହିଳା ଓ ଶିଶୁ ବିକାଶ ଯୋଜନା

1 min read

ନନ୍ଦିଘୋଷ ବ୍ୟୁରୋ: ମୟୂରଭଞ୍ଜର ଜିଲ୍ଲାରେ ଦିଗହରା ପାଲଟିଛି ମହିଳା ଓ ଶିଶୁ ବିକାଶ ଯୋଜନା । କୁଳିଅଣା ବ୍ଲକ ଡାହିସାହି ଗାଁରେ ଅଙ୍ଗନବାଡି ଘର ବିପଦଶଙ୍କୁଳ ହୋଇପଡିଥିବାରୁ ଭଙ୍ଗା ବାରଣ୍ଡାରେ ଚାଲିଛି ଶିଶୁଙ୍କ ପାଠପଢା । ଏଭଳି ପରିସ୍ଥିତିରେ ଛୁଆମାନଙ୍କୁ ମାଆମାନେ ଅଙ୍ଗନବାଡିକୁ ପଠାଇବାକୁ ଅସୁରକ୍ଷିତ ମନେ କରୁଛନ୍ତି ।

କାନ୍ଥ ଗୁଡିକ ଫାଟି ଆଁ କରିଛି । ଛାତ ମଧ୍ଯ ଭାଙ୍ଗିଗଲାଣି । କ୍ଯାମ୍ପସ କଥା ନକହିବା ଭଲ । ଏ ହେଉଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଗାଂଗରାଜ ପଞ୍ଚାୟତର ଡାହିସାହି ଗାଁରେ ଥିବା ଅଙ୍ଗନବାଡିର । କେନ୍ଦ୍ରଟି ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ଛୁଆମାନଙ୍କୁ ମାଆମାନେ ଅଙ୍ଗନବାଡିକୁ ପଠାଇବାକୁ ଅସୁରକ୍ଷିତ ମନେ କରୁଛନ୍ତି । କିଛି ମାଆ ମାନେ ସେମାନଙ୍କ ପିଲାମାନଙ୍କୁ ସାଙ୍ଗରେ ଆଣି ଅଙ୍ଗନବାଡି କେନ୍ଦ୍ରରେ ବସି ରହୁଛନ୍ତି । ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ବି କୌଣସି ସୁଫଳ ମିଳିପାରିନଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ମୟୂରଭଞ୍ଜ ଜିଲ୍ଲାରେ ୫ ହଜାର ୧୫୨ ଟି ଅଙ୍ଗନବାଡି ରହିଛି । ତା ମଧ୍ଯରୁ ୩୫୫ଟି ଅଙ୍ଗନବାଡିକୁ ମଡେଲ ଅଙ୍ଗନବାଡି ଭାବରେ ମନୋନୀତ କରାଯାଇଥିଲା । ତାର ନବୀକରଣ ପାଇଁ ପ୍ରତି ଅଂଗନବାଡିକୁ ୧୫ ଲକ୍ଷ ଲେଖାଏଁ ଆର୍ଥିକ ଅନୁଦାନ ଗତ ୨୦୧୯-୨୦ ମସିହାରେ ଦିଆଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୫୩ଟି ଅଙ୍ଗନବାଡି କେନ୍ଦ୍ର ବିପଦଶଙ୍କୁଳ ଅବସ୍ଥାରେ ରହିଥିବା ନେଇ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ କୁହାଯାଉଛି । ଏନେଇ ପୂର୍ବତନ ମହିଳା ଓ ଶିଶୁକଲ୍ଯାଣ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟରେ ଡବଲ ଇଂଜିନ ସରକାର । ପ୍ରାକ ଶିକ୍ଷା ବା ଅଙ୍ଗନବାଡି ବିଭାଗ ଦାୟିତ୍ଵରେ ଖୋଦ ଉପମୁଖ୍ୟମନ୍ତ୍ରୀ ରହିଥିବା ସତ୍ତ୍ଵେ ଏହା ଉପରେ ନଜର ନେଦେବା ବାସ୍ତବିକ ଉଦବେଗର ବିଷୟ ।