ନାଗସାପ କାମୁଡିଲା,ସାପକୁ ପଲିଥିନରେ ଧରି ଡାକ୍ତରଖାନାରେ ପହଞ୍ଚିଗଲେ ଯୁବକ

ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବ୍ୟକ୍ତିକୁ ଏକ ନାଗ ସାପ ୩ରୁ ୪ ଥର କାମୁଡିଛି । କିନ୍ତୁ ବ୍ୟକ୍ତି ଜଣକ ସାପଟିକୁ ମାରି ତାକୁ ପଲଥିନରେ ଧରି ଡାକ୍ତରଖାନା ପହଞ୍ଚିଥିଲା । ଏପରି ଘଟଣା ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ  । ଅନ୍ୟପଟେ ସାପ ଚିହ୍ନି ସେହି ଅନୁଯାୟୀ ଠିକ୍ ସମୟରେ ବ୍ୟକ୍ତିଙ୍କର ଚିକିତ୍ସା କରାଯାଇଥିଲା , ଯାହା ଫଳରେ ତାଙ୍କ ଜୀବନ ବଞ୍ଚିଯାଇଛି ।

ସୂଚନା ଅନୁସାରେ, ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ନାଗପାଳ ଗାଁରେ ଦେଖିବାକୁ ମିଳିଛି । ଅଜିତ୍ କର୍ମକାର ନାମକ ବ୍ୟକ୍ତି ଜଣକୁ ନିଜ ଘର ବାହାରେ ଏକ ନାଗସାପ କାମୁଡି ଦେଇଥିଲା । ରିପୋର୍ଟ ମୁତାବକ, ଅଜିତ୍ ନିଜ ଘର ବାହାରେ ଛିଡା ହୋଇଥିବା ବେଳେ ହଠାତ୍ ତାଙ୍କୁ ୩ରୁ ୪ଥର ସାପଟି କାମୁଥିଲା  । ଯାହାପରେ ସେ ସାପଟିକୁ ପିଟି ମାରିଦେଇଥିଲେ । ଏହା ପରେ ମଲା ସାପକୁ ପଲଥିନରେ ପୁରାଇ ସିଧା ଡାକ୍ତରଖାନାରେ ପହଞ୍ଚିଥିଲେ ।

ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଅଜିତଙ୍କ ଶରୀରରେ ବିଷ ଖେଳିଯାଇଥିଲା, କ୍ଷତ ସ୍ଥାନରୁ ରକ୍ତ ବାହାରିବା ସହ ଲକ୍ଷଣ ମଧ୍ୟ ଜଣାପଡୁଥିଲା । ତାଙ୍କ ଅବସ୍ଥା ଦେଖି ଡାକ୍ତର ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରିଦେଇଥିଲେ । ଡାକ୍ତରଖାନାର କର୍ମଚାରୀ ତାଙ୍କର ଏପରି କାମକୁ ଦେଖି ପ୍ରଥମେ ଡରିଯାଇଥିଲେ । କିନ୍ତୁ ପରେ ସାପକୁ ଚିହ୍ନି ତାଙ୍କ ଚିକିତ୍ସା କରିଥିଲେ ।