ରାଜସ୍ଥାନ ଟେପ୍ କାଣ୍ଡ : କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ,କଲେ ରାଷ୍ଟ୍ରପତି ଶାସନ ଦାବି

ଜୟପୁର: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ସରକାର ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି । ଯାହାକୁ ନେଇ ରାଜ୍ୟ ରାଜନୀତିର ତାତି ଦିଲ୍ଲୀକୁ ଛୁଇଁଛି । ଭାରତୀୟ ଜନତା ପାର୍ଟି ଏହାକୁ ନେଇ ଆକ୍ରାମକ ହୋଇଥିବା ବେଳେ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ମଧ୍ୟ ଦଙ୍ଗଲକୁ ଲମ୍ଫ ମାରିଛନ୍ତି । ମାୟାବତୀ ଅଶୋକ ଗହଲୋତ ସରକାରକୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଦାବି କରିଛନ୍ତି । ଫୋନ୍ ଟ୍ୟାପିଂ ଅସମ୍ବିଧାନିକ ଓ ଏଥିପାଇଁ ରାଷ୍ଟ୍ରପତି ଜାରି କରାଯାଉ ବୋଲି ସେ ଦାବି କରିଛନ୍ତି ।

ମାୟାବତୀ ଏନେଇ ଟ୍ୱିଟ୍ କରିଛନ୍ତି । ଦୁଇଟି ଟ୍ୱିଟ୍ କରି ସେ ରାଜସ୍ଥାନର କଂଗ୍ରେସ ସରକାରକୁ ନିଶାନାକୁ ନେଇଛନ୍ତି । ଏହି ଟ୍ୱିଟ୍ ଜରିଆରେ ମାୟାବତୀ କଂଗ୍ରେସକୁ ଦଗାବାଜ୍ ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ, କଂଗ୍ରେସ ତାଙ୍କ ସହିତ ଦ୍ୱିତୀୟ ଥର ପାଇଁ ଧୋକା କରିଛି ।

ଫୋନ୍ ଟ୍ୟାପିଂ ଅସମ୍ବିଧାନିକ

ପ୍ରଥମ ଟ୍ୱିଟରେ ମାୟାବତୀ ଲେଖିଛନ୍ତି ଯେ,ଯେମିତିକି ସମସ୍ତଙ୍କୁ ଜଣା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗହଲୋତ୍ ପ୍ରଥମେ ଦଳ ବଦଳ ଆଇନର ଉଲ୍ଲଂଘନ କରି ବିଏସପିର ବିଧାୟକଙ୍କୁ କଂଗ୍ରେସରେ ସାମିଲ କରିଛନ୍ତି । ସେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ବିଏସପି ସହ ଧୋକା କରିଛନ୍ତି । ଏବେ ଫୋନ୍ ଟ୍ୟାପିଂ କରି ସେ ଆଉ ଗୋଟିଏ ଅସମ୍ବିଧାନିକ କାର୍ଯ୍ୟ କରିଛନ୍ତି ।

ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିସ କରନ୍ତୁ

ମାୟାବତୀ କ୍ରମାଗତ ଭାବେ ଦୁଇଟି ଟ୍ୱିଟ୍ କରିଥିଲେ । ଦ୍ୱିତୀୟ ଟ୍ୱିଟରେ ସେ ଲେଖିଛନ୍ତି ଯେ, ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ଘଟଣାକ୍ରମ,ସରକାରଙ୍କ ଅସ୍ଥିର ଅବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ସୁପାରିସ କରନ୍ତୁ ।

Leave a Reply