ହରିୟାଣା ପରାଜୟକୁ ଗ୍ରହଣ କରିପାରୁନି କଂଗ୍ରେସ, ନିର୍ବାଚନ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଧମକ
ନୂଆଦିଲ୍ଲୀ: ହରିୟାଣା ନିର୍ବାଚନକୁ ନେଇ ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ନାଲି ଆଖି ଦେଖାଇଛି କଂଗ୍ରେସ । ନିର୍ବାଚନରେ ପରାଜୟକୁ କଂଗ୍ରେସ ସହଜରେ ଗ୍ରହଣ କରିପାରୁନାହିଁ । ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ସମ୍ପର୍କରେ ଦଳର ଅଭିଯୋଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ନିର୍ବାଚନ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଧମକ ଦେଇଛି କଂଗ୍ରେସ ।
ଏହାସହ ଦଳ କହିଛି, ଏହା କୌଣସି ଆଶର୍ଯ୍ୟର କଥା ନୁହେଁ, ଅଭିଯୋଗକୁ ଯାଞ୍ଚ କରି ନିର୍ବାଚନ କର୍ତ୍ତୃପକ୍ଷ ନିଜକୁ କ୍ଲିନ୍ ଚିଟ୍ ଦେଇଛନ୍ତି । ଏହାସହ ନିର୍ବାଚନ କର୍ତ୍ତୃପକ୍ଷଙ୍କ ଉତ୍ତର ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କଂଗ୍ରେସ କହିଛି । ହରିୟାଣା ନିର୍ବାଚନରେ ଅନୀୟମିତତା ଅଭିଯୋଗ ଆଣି ନିର୍ବାଚନ କମିଶନ କଂଗ୍ରେସ ଚିଠି ଲେଖିଥିଲା ।
କଂଗ୍ରେସର ଅଭିଯୋଗକୁ ନିର୍ବାଚନ କର୍ତ୍ତୃପକ୍ଷ ମଙ୍ଗଳବାର ଭିତ୍ତିହୀନ କହି ଖାରଜ କରିଦେଇଥିଲେ । ନିର୍ବାଚନ ଆୟୋଗ କଂଗ୍ରେସକୁ ନିର୍ବାଚନ ପରେ ଭିତ୍ତିହୀନ ଅଭିଯୋଗ ନକରିବାକୁ ପରାମର୍ଶ ଦେଇଥିଲେ । ହରିୟାଣା ନିର୍ବାଚନରେ କଂଗ୍ରେସ ପରାଜୟର ସାମ୍ନା କରୁଥିବା ବେଳେ ଭିତ୍ତିହୀନ ଅଭିଯୋଗ କରିଥିବାରୁ ନିର୍ବାଚନ ଆୟୋଗ ଦଳକୁ ସମାଲୋଚନା କରିଥିଲେ । ଏପରି ଦାୟିତ୍ୱହୀନ ଅଭିଯୋଗ ଜନସାଧାରଣଙ୍କ ମଧ୍ୟରେ ଅଶାନ୍ତି ଓ ଅରାଜକତା ସୃଷ୍ଟି କରିପାରେ ବୋଲି ଆୟୋଗ କହିଥିଲେ ।