spot_img

Latest Posts

ଦେଶରେ ସରକାରୀ ସ୍କୁଲ ଗୁଡ଼ିକରେ ଖାଲି ଅଛି ୧୦ ଲକ୍ଷ ପଦବୀ, ଆଗରେ ରହିଛି ବିହାର

ନୂଆଦିଲ୍ଲୀ: ଦେଶରେ ସରକାରୀ ସ୍କୁଲ ଗୁଡ଼ିକରେ ବଡ଼ ସଂଖ୍ୟକ ପଦବୀ ଖାଲିରହିଛି । କେନ୍ଦ୍ର ସରକାର ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଦେଶରେ ୧୦ ଲକ୍ଷ ୬୦ ହଜାର ୧୩୯ ଶିକ୍ଷକଙ୍କ ପଦବୀ ଖାଲି ରହିଛି । ଲୋକସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଏହି ସୂଚନା ଦେଇଛନ୍ତି । ୨୦୨୦-୨୧ ମସିହା ସୁଦ୍ଧା ସମଗ୍ର ଦେଶରେ ୬୧ ଲକ୍ଷ ୮୪ ହଜାର ୪୬୪ ଶିକ୍ଷକ ପଦବୀକୁ ମଞ୍ଜୁରୀ ମିଳିଥିବାବେଳେ ବିଭିନ୍ନ ରାଜ୍ୟରେ ମୋଟ ୧୦ ଲକ୍ଷ ୬୦ ହଜାର ୧୩୯ ପଦବୀ ଖାଲି ପଡ଼ିଛି । ଏହି ତାଲିକାରେ ବିହାର ଏବଂ ଉତ୍ତର ପ୍ରଦେଶ ଶୀର୍ଷରେ ଅଛନ୍ତି ।

ଲୋକସଭା ସାଂସଦ ଧର୍ମବୀର ସିଂହ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ପ୍ରଶ୍ନ କରିଥିଲେ ଯେ, ସମଗ୍ର ଦେଶରେ କେତେ ଶିକ୍ଷକ ପଦବୀ ଖାଲି ଅଛି ଏବଂ କେବେ ରାଜ୍ୟ ୱାରି ସେହି ପଦବୀ ଗୁଡ଼ିକ ପୂରଣ କରାଯିବ, ବିଶେଷ କରି ବିହାର ରାଜ୍ୟରେ ?

ଉତ୍ତରରେ ଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ‘ଶିକ୍ଷକଙ୍କୁ ନିଯୁକ୍ତ ଦେବା ଏକ ନିରନ୍ତର ପ୍ରକ୍ରିୟା ଅଟେ ଏବଂ ଅବସର ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେତୁ ଉପୁଜିଥିବା ଅତିରିକ୍ତ ଆବଶ୍ୟକତା ହେତୁ ପଦବୀ ଗୁଡ଼ିକ ଖାଲି ରହିଥାଏ । ଶିକ୍ଷକଙ୍କ ନିଯୁକ୍ତି, ସେବା ଅବସ୍ଥା ଏବଂ ନିୟୋଜନ ସଂପୃକ୍ତ ରାଜ୍ୟ / ସଂଘ ରାଜ୍ୟ କ୍ଷେତ୍ରର ସରକାରଙ୍କ ଅଧୀନରେ ରହିଛି । ତଥାପି, ଶିକ୍ଷା ମନ୍ତ୍ରଣାଳୟ ପରାମର୍ଶ କିମ୍ବା ସମୀକ୍ଷା ବୈଠକ ମାଧ୍ୟମରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଶିକ୍ଷକମାନଙ୍କର ଖାଲି ପଦବୀ ପୂରଣ ଏବଂ ସେମାନଙ୍କ ନିୟୋଜନ ପାଇଁ ଅନୁରୋଧ ଜାରି ରଖିଛି ।’ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ହରିୟାଣାରେ ବର୍ତ୍ତମାନ ୧୦,୩୪୯ ପଦବୀ ଖାଲି ରହିଛି ଏବଂ ଅନୁମୋଦିତ ପଦବୀ ଗୁଡିକର ସଂଖ୍ୟା ୧୦୬,୨୬୩ ରହିଛି ।

ନିଜର ଲିଖିତ ଉତ୍ତରରେ ଶିକ୍ଷାମନ୍ତ୍ରୀ ରାଜ୍ୟ ୱାରୀ ଖାଲିଥିବା ତଥ୍ୟ ଦେଇଛନ୍ତି ଯେଉଁଥିରେ ବିହାର ଏବଂ ଉତ୍ତର ପ୍ରଦେଶ ଶୀର୍ଷରେ ଅଛନ୍ତି । ବିହାରରେ ବର୍ତ୍ତମାନ ୨୭୫,୨୫୫ ପଦବୀ, ଉତ୍ତର ପ୍ରଦେଶରେ ୨୧୭,୪୮୧ ପଦବୀ ଖାଲି ରହିଛି । ଅନ୍ୟପଟେ ବିହାରରେ ଅନୁମୋଦିତ ପଦବୀର ସଂଖ୍ୟା ୬୮୮,୧୫୭ ଏବଂ ଉତ୍ତର ପ୍ରଦେଶରେ ଶିକ୍ଷକଙ୍କ ଅନୁମୋଦିତ ପଦବୀର ସଂଖ୍ୟା ୭୫୨,୮୩୯ ରହିଛି । ଆହୁରି ଅନେକ ରାଜ୍ୟ ରହିଛି ଯେଉଁଠି ଶିକ୍ଷକଙ୍କର ଅଭାବ ରହିଛି । ସେଥିରେ ଆନ୍ଧ୍ର ପ୍ରଦେଶ ( ୩୪୮୮୮), ଝାଡଖଣ୍ଡ ( ୯୫୮୯୭) କର୍ଣ୍ଣାଟକ (୩୨୬୪୪), ରାଜସ୍ଥାନ (୪୭୬୬୬) ଏବଂ ପଶ୍ଚିମ ବଙ୍ଗର (୭୨୨୨୦) ରାଜ୍ୟର ନାମ ରହିଛି ।

Latest Posts

Don't Miss