‘ଦ କାଶ୍ମୀର ଫାଇଲ୍ସ’ ଉପରେ ବ୍ଯାନ ପାଇଁ ମୌଲବୀଙ୍କ ଦାବି, କହିଲେ ‘ଭୁଲନି… ୮୦୦ ବର୍ଷ ଧରି ଶାସନ କରିଛୁ’

1 min read
Maulvi Farooq Demand Ban On The Kashmir Files

ଶ୍ରୀନଗର: ନବେ ଦଶନ୍ଧିରେ ଜମ୍ମୁ-କାଶ୍ମୀରରେ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା ଓ ପଳାୟନ ଉପରେ ନିର୍ମିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନୂଆ ବିବାଦ ଆରମ୍ଭ ହୋଇଛି । ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାର ଜାମା ମସଜିଦର ମୌଲବୀ ଫାରୁକ ‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଖାଲି ଦାବି କରିନାହାନ୍ତି ବରଂ ଉସୁକାଇବା ଭଳି କିଛି ମନ୍ତବ୍ୟ ଦେଇଛନ୍ତି । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଫିଲ୍ମ ଜରିଆରେ ମୁସଲିମଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚା ଯାଇଥିବା କହିଛନ୍ତି ମୌଲବୀ ଫାରୁକ । ମୌଲବୀ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ସମାଜକୁ ଭାଗ ଭାଗ କରିବା ପାଇଁ ଏଭଳି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଫିଲ୍ମ ମାଧ୍ୟମରେ ଗୋଟିଏ ପ୍ରାଚୀର ତିଆରି ପାଇଁ ଉଦ୍ୟମ ହେଉଛି । ହିନ୍ଦୁ ଓ ମୁସଲମାନଙ୍କୁ ପରସ୍ପର ବିରୋଧରେ ଲଢ଼େଇ କରି ରାଜନୀତି କରିବାକୁ ପ୍ରୟାସ କରାଯାଉଛି ।

ମୌଲନା ଫାରୁକ ଆହୁରି କହିଛନ୍ତି, ଗତ ୩୨ ବର୍ଷ ମଧ୍ୟରେ ଅନେକ କାଶ୍ମୀର ମୁସଲିମଙ୍କୁ ହତ୍ୟା କରାଯାଇଛି । କିନ୍ତୁ ସେମାନଙ୍କୁ କେବେ ମନେ ପକାଯାଇ ନାହିଁ । କାଶ୍ମୀର ମୁସଲିମଙ୍କ ଦୁଃଖ ଓ ଯନ୍ତ୍ରଣାକୁ ସମସ୍ତେ ଭୁଲି ଯାଇଛନ୍ତି । ଆମେ ଶାନ୍ତିପ୍ରିୟ ଲୋକ । ଆମେ ଏହି ଅଞ୍ଚଳକୁ ୮୦୦ ବର୍ଷ ଧରି ଶାସନ କରିଛୁ । ଏମାନେ ମାତ୍ର ୭୦ ବର୍ଷ ଶାସନ କରିଛନ୍ତି । କିନ୍ତୁ ଆମ ପରିଚୟ ଲିଭାଇବା ସହଜ ନୁହେଁ । ତୁମେ ମାଟିରେ ମିଶିଯିବ, ଆମେ ମିଶିବୁନି ।