ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ବିଭାଗର ମାଟ୍ରିକ ଟିପ୍ସ: କ’ଣ କରିବେ, କ’ଣ କରିବେ ନାହିଁ ?

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ ଟିପ୍ସ । ଆଗକୁ ମାଟ୍ରିକ ପରୀକ୍ଷା ଆସୁଥିବାବେଳେ କେମିତି ଛାତ୍ରଛାତ୍ରୀ ଚାପମୁକ୍ତ ରହିବେ । କେମିତି ସଫଳତା ହାସଲ କରିବେ, ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ବିଭାଗ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକରାତ୍ମକ ଭାବନା ମୁଖ୍ୟ ଉପାଦେୟ । ପାଠ ପଢିବା ସମୟରେ ବ୍ରେକ୍ ନିଅନ୍ତୁ । ଦୀର୍ଘ ସମୟ ଧରି ପଢନ୍ତୁ ନାହିଁ ଏଥିରେ ମାନସିକ ଚାପ ବୃଦ୍ଧି ପାଇଥାଏ । ସାଙ୍ଗସାଥିଙ୍କ ସହ ପଢ଼ିବା ବେଳେ ପାଠ କମ କଥାବାର୍ତ୍ତା ଅଧିକ ହୋଇଥାଏ । ତେଣୁ ସାଙ୍ଗଙ୍କ ସହ ଏକାଠି ପଢ଼ନ୍ତୁ ନାହିଁ, ଯଦି ପଢ଼ୁଛନ୍ତି ପାଠ ବ୍ୟତୀତ ଅନ୍ୟ ବିଷୟରେ କଥା ହୁଅନ୍ତୁ ନାହିଁ ।

ସୁଷମ ଖାଦ୍ୟ ଖାଇବା ସହ ବିଶ୍ରାମ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଶିକ୍ଷା ବିଭାଗ । ୧୦ରୁ ୧୪ ଘଣ୍ଟା ପାଠ ପଢି ଅତି କମରେ ୬ରୁ ୭ ଘଣ୍ଟା ଭଲ ନିଦରେ ଶୋଇବା ଉଚିତ । ପାଠ ପଢିବାକୁ ସମୟ ନିର୍ଘଣ୍ଟ କରିବାକୁ ପରାମର୍ଶ ଦେଇଛି ବିଭାଗ । ସକାଳେ ୧୦ଟାରୁ ମଧ୍ୟାହ୍ନ ସାଢେ ଗୋଟାଏ । ଅପରାହ୍ନ ସାଢେ ୨ଟାରୁ ସାଢେ ୪ଟା । ସଂଧ୍ୟା ସାଢେ ୫ଟାରୁ ରାତି ୯ଟା । ରାତିରେ ସାଢେ ୯ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପଢିବାକୁ ପରାମର୍ଶ ଦିଆଯାଇଛି । ସମସ୍ୟା ହେଲେ ଘର ଲୋକଙ୍କ ସହିତ ଆଲୋଚନା କରନ୍ତୁ।

ଭଲ ମାର୍କ ନଆସିଲେ ଭାଙ୍ଗି ନପଡ଼ି ଜୀବନର ପରବର୍ତ୍ତୀ ସୋପାନକୁ କିପରି ସୁଦୃଢ କରିବେ ସେଥିପ୍ରତି ଯୋଜନା କରନ୍ତୁ । ସୁସ୍ଥ ରହିବାକୁ ଯୋଗାଭ୍ୟାସ କରନ୍ତୁ । ଯୋଗାଭ୍ୟାସ ମାନସିକ ଚାପ କମାଇବାରେ ସହାୟକ ହୁଏ । ମୋବାଇଲର ସଦୁପଯୋଗ କରନ୍ତୁ । ଅଯଥା ଗେମ ଖେଳନ୍ତୁ ନାହିଁ । ଟାଇମ ଟେବୁଲ କରି ପଢନ୍ତୁ । ପରୀକ୍ଷା ପୂର୍ବରୁ ପାଠପଢା ଶେଷ କରନ୍ତୁ । ଦୁର୍ବଳ ବିଷୟକୁ ଅଧିକ ସମୟ ଧ୍ୟାନ ଦିଅନ୍ତୁ । ତେଲଯୁକ୍ତ ଖାଦ୍ୟ ଖାଅନ୍ତୁ ନାହିଁ । ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଇବାକୁ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।