ଦାଦନ ଖଟିବାକୁ ଯାଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ! ଦାଦନ ଟାସ୍କଫୋର୍ସର ମୁଖା ଖୋଲି ଦେଲା ମାଟ୍ରିକ ପରୀକ୍ଷା

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଦେବାକୁ ଆସିଲେ ନାହିଁ ୭୭୪ ଛାତ୍ରଛାତ୍ରୀ । ଜିଲ୍ଲାରେ ୨୨ହଜାର ୪୨ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ କରିଥିଲେ । କିନ୍ତୁ ୨୧ ହଜାର ୩୦୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବାକି ୭୭୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ରହିଛନ୍ତି । ସେମାନେ ପରୀକ୍ଷା ଦେବା ପାଇଁ ଆସିନଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକ ଛାତ୍ରଛାତ୍ରୀ ପାଟଣାଗଡ଼ ଓ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଅଞ୍ଚଳର । ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ କେଉଁଠି ଅଛନ୍ତି ଜିଲ୍ଲା ପ୍ରଶାସନ ନିକଟରେ ତଥ୍ୟ ନାହିଁ । ଏହି ଛାତ୍ରଛାତ୍ରୀମାନେ ପରିବାର ସହିତ ଦାଦନ ଖଟିବାକୁ ଯାଇଥିବା ଚର୍ଚ୍ଚା ହେଉଛି ।

ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଦାଦନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଘେରକୁ ଠେଲି ହୋଇଯାଇଛି । ଦାଦନ ଯାଇଥିବା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଫେରାଇ ଆଣିବାରେ ଜିଲ୍ଲା ପ୍ରଶାସନ ଫେଲ୍ ମାରିଛି । ଜିଲ୍ଲାରୁ କେତେ ସଂଖ୍ୟକ ଲୋକେ ପିଲାଛୁଆ ଧରି ଦାଦନ ଯାଇଛନ୍ତି ତାହାର୍ ସଠିକ ରିପୋର୍ଟ ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ନାହିଁ । ଏଥିରୁ ଜଣାପଡୁଛି ଅଧିକାଂଶ ଶ୍ରମିକ ବେଆଇନ ଭାବେ ଦାଦନ ଯାଇଛନ୍ତି । ଯଦି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି ତେବେ ପୂର୍ବରୁ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଫେରାଇ ଆଣିବାକୁ କାହିଁକି ପଦକ୍ଷେପ ଗ୍ରହଣ କଲା ନାହିଁ । ଏଥରୁ ସ୍ପଷ୍ଟ ହେଉଛି ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ବାପା ମାଆଙ୍କ ସହ ଦାଦନ ଯାଇଥିବା କହିଛନ୍ତି ଗ୍ରାମବାସୀ ଓ ବୁଦ୍ଧିଜୀବୀ । ସେପଟେ ଶତାଧିକା ଛାତ୍ରଛାତ୍ରୀ ଦାଦନ ଯାଇ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଅଭିଯୋଗ ଆଣିଛନ୍ତି ବିଶିଷ୍ଟ ସାମାଜିକ କର୍ମୀ ନୀଳମଣି ଯୋଶୀ । ଏତେ ସଂଖ୍ୟାରେ ପିଲା ଅନୁପସ୍ଥିତ ଥିଲେ ମଧ୍ୟ ଘଟଣାକୁ ହାଲୁକା ଭାବେ ଗ୍ରହଣ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ।

ନଜର ପକାନ୍ତୁ