ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

1 min read

ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ । ଏନେଇ ଆଜି ବୋର୍ଡ ବିସ୍ତୃତ ସୂଚନା ଦେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍  । ଗତ ୨ ବର୍ଷ ହେଲା କରୋନା ଯୋଗୁ ଅଫଲାଇନ୍‌ ପରୀକ୍ଷା ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଅଫଲାଇନ୍‌ ପରୀକ୍ଷା ହୋଇଥିଲା ।ଚଳିତ ବର୍ଷ ୫ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।

ରାଜ୍ୟର ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହୋଇଥିଲା । ଚଳିତ ବର୍ଷ ୩ଟି ପଦ୍ଧତିରେ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ହୋଇଛି । ପ୍ରଥମ ମୂଲ୍ୟାୟନ ପଦ୍ଧତିରେ ସମ୍ମେଟିଭ୍ ଆସେସମେଣ୍ଟ-୧ ଓ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ମାର୍କ ମୂଲ୍ୟକୁ ୨ ଗୁଣା କରି ରେଜଲ୍ଟ ବାହାରିବ । ସେହିଭଳି ଦ୍ୱିତୀୟ ମୂଲ୍ୟାୟନ ପଦ୍ଧତିରେ ସମ୍ମେଟିଭ୍ ଆସେସମେଣ୍ଟ-୨ ମାର୍କ ମୂଲ୍ୟର ୨ଗୁଣା ହୋଇ ମୂଲ୍ୟାୟନ ହେଉଛି । ତୃତୀୟରେ ବୋର୍ଡ ଦ୍ୱାରା କରାଯାଇଥିବା ନୂଆ ମୂଲ୍ୟାୟନ ପଦ୍ଧତି । ଏଥିରେ ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ପ୍ରତିଶତ ମାର୍କ, ସମ୍ମେଟିଭ-୧ରୁ ୩୦ ପ୍ରତିଶତ ମାର୍କ, ସମ୍ମେଟିଭ୍-୨ରୁ ୫୦ ପ୍ରତିଶତ ମାର୍କ ମିଶି ରେଜଲ୍ଟ ଘୋଷଣା ହେବ । ଏହି ତିନିଟି ପରୀକ୍ଷାରେ ଯେଉଁଥିରେ ଛାତ୍ରଛାତ୍ରୀ ସର୍ବାଧିକ ନମ୍ବର ରଖିବେ ସେହି ନମ୍ବରକୁ ଚୂଡ଼ାନ୍ତ ରେଜଲ୍ଟ ଭାବେ ଘୋଷଣା କରାଯିବ । ସେପଟେ ଯୁକ୍ତ ଦୁଇ ଫଳାଫଳ ନେଇ ସମୀକ୍ଷା ହୋଇଛି । ଜୁଲାଇ ଶେଷ ସୁଦ୍ଧା ପ୍ରକାଶ କରିବାକୁ ଉଦ୍ୟମ କରାଯାଉଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।