୯୭.୮୯ ପ୍ରତିଶତ ରେଗୁଲାର ଛାତ୍ରଛାତ୍ରୀ ପାସ୍: ସନ୍ଧ୍ୟାରେ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

1 min read

କଟକ: ପ୍ରଥମ ଥର ଲାଗି ବିନା ପରୀକ୍ଷାରେ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ବିକଳ୍ପ ମୂଳ୍ୟାୟନ ଆଧାରରେ ଆଜି ମାଟ୍ରିକ ପିଲାଙ୍କ ରେଜଲ୍ଟ ପ୍ରକାଶ ପାଇଛି । ରାଜ୍ୟରେ ପାସ୍ ହାର ସର୍ବକାଳୀନ ରେକର୍ଡ ଛୁଇଁଥିବା ବେଳେ ପୁଅଙ୍କ ତୁଳନାରେ ଆଗରେ ରହିଛନ୍ତି ଝିଅ । ଚଳିତବର୍ଷ ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ମାଟ୍ରିକ ଫଳ ପ୍ରକାଶ ପାଇଛି । ପାସ୍ ହାର ୯୭.୮୯ ପ୍ରତିଶତ ରହିଥିବା ବେଳେ ୨ ଲକ୍ଷ ୮୦ ହଜାର ୩୫୨ ଜଣ ପୁଅ ଓ ୨ ଲକ୍ଷ ୮୧ ହଜାର ୬୫୮ ଜଣ ଝିଅ ପାସ୍ କରିଛନ୍ତି । ସେହିପରି ଏକ୍ସ-ରେଗୁଲାର ପାସ୍ ହାର ୮୮.୩୩ ପ୍ରତିଶତ ରହିଛି । କରେସପଣ୍ଡେନ୍ସ ଏକ୍ସରେଗୁଲାର ପାସ୍ ହାର ୮୮.୦୮ ପ୍ରତିଶତ ରହିଛି । A-1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି 2 ହଜାର ୬୫୬ ଛାତ୍ରଛାତ୍ରୀ । A- 2 ଗ୍ରେଡରେ ୨୨ ହଜାର ୧୩୧, B 1 ଗ୍ରେଡରେ ୫୨ ହଜାର ୨୯୯, B 2ରେ ୯୪ ହଜାର ୪୭୫ ଓ C ଗ୍ରେଡରେ ୧ ଲକ୍ଷ ୩୭ ହଜାର ୦୧୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ ହଜାର ୭୦୩ ଫେଲ୍ ହୋଇଥିବା ବେଳେ ଏକ୍ସ-ରେଗୁଲାର ୪ ହଜାର ୪୦୯ ପିଲା ଫେଲ୍ ହୋଇଛନ୍ତି ।

www.bseodisha.inରେ ସନ୍ଧ୍ୟା ୬ଟାରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଯଦି ଇଣ୍ଟରନେଟ୍ ସମସ୍ୟା ଦେଖାଯାଏ, ତେବେ ଏସଏମଏସ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀ OR01 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ କଲେ ଜାଣିପାରିବେ ସେମାନଙ୍କ ଫଳାଫଳ । ଦଶମ ଶ୍ରେଣୀ ବୋର୍ଡ଼ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ । ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ପ୍ରକାଶ ପାଇବ । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହେବ ରେଜଲ୍ଟ । ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି ।

Leave a Reply