୨୮୮୮ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ମୋଟ୍ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶେଷ ହୋଇଛି ବର୍ଷକର ପ୍ରସ୍ତୁତି । ଆଜି କ୍ୟାରିଅର ପ୍ରଥମ ବଡ଼ ପରୀକ୍ଷା, ମାଟ୍ରିକ ପରୀକ୍ଷା । ଚାପରେ ପିଲା, ଅଭିଭାବକ, ଶିକ୍ଷକ ଓ ମାଧ୍ୟମିକ ଶିକ୍ଷା ବୋର୍ଡ । ତେବେ କିପରି ସୁରୁଖୁରରେ ଚଳିତ ବର୍ଷର ବୋର୍ଡ ପରୀକ୍ଷା ସରିବ ସେନେଇ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ପ୍ରଶ୍ନପତ୍ରର ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଜଗିବ ସିସିଟିଭି ।

ଏଥର କୋଡିଂ ବ୍ୟବସ୍ଥା ହୋଇଥିବାବେଳେ ପରୀକ୍ଷା କେନ୍ଦ୍ରରେ ଦୁଇ ଜଣ ଛାତ୍ରଙ୍କ ଉପସ୍ଥିତିରେ ଖୋଲାଯିବ ପ୍ରଶ୍ନପତ୍ର । ଜରୁରୀ ପରିସ୍ଥିତିରେ କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ ଷ୍ଟ୍ରଙ୍ଗ ରୁମ୍‌ରେ ମୋବାଇଲ ବ୍ୟବହାର କରିପାରିବେ । ଅନ୍ୟ ଶିକ୍ଷକମାନେ ସୁପରିଟେଣ୍ଡେଣ୍ଟଙ୍କ ପାଖରେ ମୋବାଇଲ ଦାଖଲ କରିବେ । ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ୧୨ଟା ଯାଏଁ ଚାଲିବ । ପର୍ଯ୍ୟାୟ କ୍ରମେ ପ୍ରଥମେ ଅବ୍‌ଜେକଟିଭ ଓ ତାପରେ ସବ୍‌ଜେକ୍‌ଟିଭ ପରୀକ୍ଷା ହେବ । ୯ଟା ୪୫ରେ ଶେଷ ସିଲ୍‌ ଖୋଲାଯାଇ ପ୍ରଶ୍ନପତ୍ର ଦିଆଯିବ ।

୧୫ ମିନିଟରେ ରୋଲ ନମ୍ବର ଓ ସେଟ କୋଡ ଲେଖିବା ପରେ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । ଗଣିତ ପାଇଁ ୧୫ ମିନିଟ ଅଧିକ ସମୟ ରଖାଯାଇଛି । ମାଟ୍ରିକ, ମଧ୍ୟମା ଏବଂ ଓପନ ସ୍କୁଲର ମୋଟ ୫ ଲକ୍ଷ ୬୦ ହଜାର ୯ଶହ ୫ଜଣ ପରୀକ୍ଷାର୍ଥ ପରୀକ୍ଷା ଦେବେ । ୩୦୭ ନୋଡାଲ ସେଣ୍ଟର, ୨୮୮୮ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୨ ଥାନାକୁ ନୋଡାଲ ସେଣ୍ଟର କରାଯାଇଛି । ୧୦୦୦ ସମ୍ବେଦନଶୀଳ ସେଣ୍ଟରରେ ଲାଗିଛି ସିସିଟିଭି କ୍ୟାମେରା । ତେବେ ନୂଆ ଫର୍ମାଟରେ ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀ ଉତ୍ସାହିତ ହେବା ସହ ନର୍ଭସ ମଧ୍ୟ ଅଛନ୍ତି । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଗଣଶିକ୍ଷାମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply