ଆରମ୍ଭ ହେଲା ଚଳିତବର୍ଷର ମାଟ୍ରିକ ପରୀକ୍ଷା । ୩ ହଜାର ୮୨ କେନ୍ଦ୍ରରେ ପରୀକ୍ଷା ଦେଲେ ୫ ଲକ୍ଷ ୬୧ ହଜାର ପରୀକ୍ଷାର୍ଥୀ । ସକାଳ ୯ ଟାରୁ ଆରମ୍ଭ ହୋଇଥିଲା ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ, ଗଣଶିକ୍ଷା ସଚିବ ବିଭିନ୍ନ ପରୀକ୍ଷାକେନ୍ଦ୍ର ବୁଲି ବ୍ଯବସ୍ଥାର ଅନୁଧ୍ୟାନ କରିଛନ୍ତି । ପ୍ରଥମ ଦିନରେ ସାରା ରାଜ୍ଯରେ ପରୀକ୍ଷା ସୁରୁଖୁରୁରେ ସରିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି । ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ହଲରେ ସମସ୍ତ ଆନୁସଂଗୀକ ବ୍ଯବସ୍ଥା କରାଯାଇଥିବାବେଳେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ତେବେ କିଛି କେନ୍ଦ୍ରରେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ନଜରକୁ ଆସୁଛି । ମାର୍ଚ୍ଚ ୧୫ ପରେ ମୂଲ୍ୟାୟନ କାମ ଆରମ୍ଭ ହୋଇ ଶୀଘ୍ର ଫଳ ବାହାର କରାଯିବ ବୋଲି ସୂଚନା ଦେଇଛନ୍ତି ।
ଭୁବନେଶ୍ବର, କଟକ, ବାଲେଶ୍ବର, ବଲାଙ୍ଗୀର ସବୁଠି ପ୍ରଥମ ଦିନ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଶ୍ନ ବହୁତ ସହଜ ଥିଲା ଓ ଓଡ଼ିଆ ପରୀକ୍ଷା ଭଲ କରିଥିବା ବେଳେ ଆଗାମୀ ଇଂରାଜୀ ପରୀକ୍ଷା ଭଲ କରିବେ ବୋଲି ଆଶା ରଖିଛନ୍ତି ପରୀକ୍ଷାର୍ଥୀ । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆଜି ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ପୂର୍ବ ଘୋଷଣା ଅନୁଯାୟୀ ବିଳମ୍ବରେ ଆସିଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଥିଲା । ସହ କଣ୍ଟ୍ରୋଲ ରୁମରୁ ସାରା ରାଜ୍ଯରେ ପରୀକ୍ଷା କିପରି ଚାଲିଛି ତାହାକୁ ବୋର୍ଡ କର୍ତ୍ତୃପକ୍ଷ ଅନୁଧ୍ୟାନ କରୁଥିଲେ । ଫେବୃଆରି ୧୯ ରୁ ଆରମ୍ଭ ହୋଇଥଇବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ରେ ସରିବ। ସକାଳ ୯ ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ରେ ସରିବ । ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯାଇଛି ।

