ଲିକ୍ ହୋଇନି ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର, କେବଳ ମୁଦ୍ରଣଜନିତ ତ୍ରୁଟି ଥିଲା: ସମୀର ଦାଶ

ଭୁବନେଶ୍ୱର: ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇନି । ମୁଦ୍ରଣଜନିତ ତ୍ରୁଟି ଥିଲା ବୋଲି ଗତକାଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କାରଯାଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା କହିଛନ୍ତି । ଏଥିପାଇଁ ଛାତ୍ରଛାତ୍ରୀ କି ଅଭିଭାବକ ବ୍ୟସ୍ତ ହେବା ଦରକାର ନାହିଁ । ମାର୍କିଂ ସମୟରେ ପିଲାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ । ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ ଥିଲା । ତେବେ ସକାଳୁ ପୁରୀରେ ପ୍ରଶ୍ନପତ୍ର ଲିକ୍ ନେଇ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ମନ୍ତ୍ରୀ କହିଛନ୍ତି । ବୋର୍ଡ ସଭାପତି, ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ, ପୁରୀ ଜିଲ୍ଲାପାଳଙ୍କ ସହ ମନ୍ତ୍ରୀ କଥାହୋଇଥିଲେ ।

କୌଣସି ପ୍ରଶ୍ନପତ୍ର ଲିକ ହୋଇନଥିବା ସେ କହିଛନ୍ତି । ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ବିରୋଧୀ ହୋହଲ୍ଲା କରିଥିଲେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜ ଆସନରେ ଠିଆ ହୋଇ ପ୍ରସଙ୍ଗ ଉଠାଇଥିବା ବେଳେ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଓ ଅନ୍ୟ ବିଜେପି ସଦସ୍ୟ ନାରାବାଜି କରି ଗୃହର ମଧ୍ୟଭାଗକୁ ଚାଲି ଆସିଥଲେ । ଶୂନକାଳରେ ଏହି ପ୍ରସଙ୍ଗ ଉଠାଇବାକୁ କହିଥିଲେ ବାଚସ୍ପତି । ହେଲେ ମାନିବାକୁ ନାରାଜ ଥିଲେ ବିଜେପି ସଦସ୍ୟ । ବିଜେପିକୁ ସମର୍ଥନ ଜଣାଇ କଂଗ୍ରେସ ସଦସ୍ୟ ମଧ୍ୟ ହୋହଲ୍ଲା କରିଥିଲେ । ଅଚଳାବସ୍ଥା ଜାରି ରହିବାରୁ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ।