ମାଟ୍ରିକ ପରୀକ୍ଷା: ୫ ଛାତ୍ରଙ୍କୁ କପି କରୁଥିବା ବେଳେ ଧରିଲା AI କ୍ୟାମେରା

1 min read

କଟକ: ମାଟ୍ରିକ ପରୀକ୍ଷାର ତୃତୀୟ ଦିନରେ କପି ଧରିଲା AI କ୍ୟାମେରା । ଗଣିତ ପରୀକ୍ଷାରେ ସାରା ରାଜ୍ୟରେ କପି କରି ୫ ଜଣ ପରୀକ୍ଷାର୍ଥୀ ଏଆଇ କ୍ୟାମେରାରେ ଧରାପଡ଼ିଛନ୍ତି । କପି କରି ଧରା ପଡିଥିବା ଏହି ପରୀକ୍ଷାର୍ଥୀଙ୍କୁ ଏମପିରେ ବୁକ କରିଛି ବୋର୍ଡ ।

୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ଲାଗିଥିବା ୬ ଶହ ଏଆଇ କ୍ୟାମେରାରୁ ୫ ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରାପଡିଛନ୍ତି । ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯାଇଥିଲା । ଅର୍ଥାତ ସକାଳ ୯ ଟାରୁ ୧୧ ଟା ୪୫ ପର୍ଯ୍ୟନ୍ତ ଗଣିତ ପରୀକ୍ଷା ଦେଇଥିଲେ ପରୀକ୍ଷାର୍ଥୀ । ସେପଟେ ତୃତୀୟ ଦିନରେ ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ଶେଷ ହୋଇଛି । କପି କରି ଧରାପଡିଥିବା ପରୀକ୍ଷାର୍ଥୀଙ୍କ ପାଖରୁ କିଛି ଆପତ୍ତିଜନକ ଜିନିଷ ଥିବା AI କ୍ୟାମେରାରୁ ଜଣାପଡିବା ପରେ ଚେକିଂ କରାଯାଇ କପି ଧରାଯାଇଥିଲା । ଲାଇଭ ଷ୍ଟ୍ରିମିଙ୍ଗ ବେଳେ ଏହି ଫୁଟେଜ ସାମ୍ନାକୁ ଆସିଛି । ଧରାପଡ଼ିଥିବା ଛାତ୍ର ବାକି ବିଷୟ ଗୁଡିକରେ ପରୀକ୍ଷା ଦେଇପାରିବେ । ବୋର୍ଡ ରେଗୁଲେସନ୍ କମିଟି ପରବର୍ତ୍ତୀ ସମୟରେ ଆକ୍ସନ ନେଇ ନିଷ୍ପତ୍ତି ନେବ ବୋଲି କହିଛନ୍ତି ବୋର୍ଡ ଉପସଭାପତି । ଆସନ୍ତା ଶନିବାର ବିଦ୍ୟାର୍ଥୀ ଦେବେ ବିଜ୍ଞାନ ପରୀକ୍ଷା ।