ମେ’ ଶେଷ ସୁଦ୍ଧା ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ, ସରିଲାଣି ଖାତାଦେଖା

ଭୁବନେଶ୍ବର: ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ଫଳ । ସେହିପରି ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖୁବ ଶୀଘ୍ର ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ନେଇ ତାରିଖ ଘୋଷଣା କରାଯିବ ।

ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଚାଲିଛି।  ଖାତାଦେଖାରେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ରହିଥିଲେ । ଏପ୍ରିଲ ୩ ତାରିଖରୁ ଖାତାଦେଖା ଆରମ୍ଭ ହୋଇଥିଲା ।

ସେହିପରି  ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ବୋର୍ଡ଼ ପରୀକ୍ଷା ଖାତାଦେଖା ରବିବାର ଶେଷ ହେବ। ଚଳିତ ମାସ ଶେଷ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପରିଷଦ ଲକ୍ଷ୍ୟ ରଖିଛି।  କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଜୁନ୍‌‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ ଇଣ୍ଟରନାଲ୍‌‌ ଆସେସମେଣ୍ଟର ୨୦%କୁ ବିଚାରକୁ ନେଇ ପିଲାଙ୍କ ପ୍ରତ୍ୟେକ ବିଷୟର ମୂଲ୍ୟାୟନ କରାଯିବ।