ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗଣିତ ଶିକ୍ଷକ ଗିରଫ

1 min read

ଦେବଗଡ଼: ଭୁଲ ହେଲା ଗଣିତ ଶିକ୍ଷକଙ୍କ ଅଙ୍କ । ନାବାଳିକା ଛାତ୍ରୀକୁ ପ୍ରେମ ନିବେଦନ କରିବା ସହ ବଳପୂର୍ବକ ଆଲିଙ୍ଗନ କରି ବନ୍ଧା ହେଲେ ଗଣିତ ଶିକ୍ଷକ । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବମ୍ପରଡା ନୋଡାଲ ୟୁପି ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି  ।

ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ୫୨ ବର୍ଷୀୟ ଗଣିତ ଶିକ୍ଷକ ସୋମନାଥ ପ୍ରଧାନ ଦୀର୍ଘ ଦିନ ଧରି ବିଭିନ୍ନ ଆଳରେ ପ୍ରେମ ନିବେଦନ କରି ଆସୁଥିଲେ । ଗତ ୨୭ ତାରିଖରେ ଶିକ୍ଷକ ସୋମନାଥ ଛାତ୍ରୀଙ୍କ ଘରକୁ ମଧ୍ୟ ପହଞ୍ଚି ଥିଲେ । ଗତକାଲି ଶିକ୍ଷକ ଜଣକ ବିଦ୍ୟାଳୟର ଏକ କୋଠରୀରେ ଛାତ୍ରୀ ଜଣକୁ ବଳପୂର୍ବକ ଆଲିଙ୍ଗନ କରିବା ସହ ଅସଦାଚରଣ କରିଥିଲେ । ଫଳରେ ଛାତ୍ରୀ ଜଣକ ବିଦ୍ୟାଳୟରେ କାନ୍ଦିବା ସହ ଘରକୁ ଯାଇ ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ନିକଟରେ ଅଭିଯୋଗ କରିବା ପରେ ବିଦ୍ୟାଳୟରେ ପରିଚାଳନା କମିଟି, ସରପଞ୍ଚ ଓ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ବୈଠକ ବସି ପୀଡିତା ଛାତ୍ରୀ ଓ ପରିବାର ଲୋକଙ୍କ ସହ ଆଲୋଚନା ହୋଇଥିଲା ।

ବାରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଦଫା 354(A), 354(D), ସହ ପସ୍କୋ ଓ ଆଟ୍ରୋସିଟି ଆକ୍ଟର ବିଭିନ୍ନ ଧାରାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି ।