ସହଦେବଙ୍କ ହତ୍ଯା ପାଇଁ ୩ ମାସ ପୂର୍ବରୁ ସୁପାରୀ ଦେଇଥିଲା ମାଷ୍ଟରମାଇଣ୍ଡ ରମା

ଭୁବନେଶ୍ବର: ସଫେଇ ସଂଘ ନେତା ସହଦେବ ନାୟକ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ରମା ନାୟକ ଗିରଫ । ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ ପରେ ଗିରଫ କଲା ପୋଲିସ । ୩ ମାସ ଆଗରୁ ସହଦେବଙ୍କୁ ହତ୍ୟା ପାଇଁ ଦେଇଥିଲା ସୁପାରୀ । ହତ୍ୟା ପଛର କାରଣ ଥିଲା ପୂର୍ବ ଶତ୍ରୁତା ଓ ନିଶା କାରବାର ।

ସହଦେବ ହତ୍ୟାର ରିଙ୍ଗ ମାଷ୍ଟର ଥିଲା ରମା । ମୁଣ୍ଡ କାଟି ନେଇଯିବାକୁ କରିଥିଲା ଷଡଯନ୍ତ୍ର । ହତ୍ୟା କରିବାକୁ ଲଗାଇଥିଲା ସୁପରି କିଲର । ସହଦେବ ହତ୍ୟାର ୪୦ ଦିନ ପରେ ଆତ୍ମ ସମର୍ପଣ କଲେ ଚାଲବାଜ ମହିଳା ରମା ।

ଗତ ଜାନୁଆରୀ ୮ ତାରିଖରେ ପ୍ରବାସୀ ଭାରତୀୟ ସମ୍ମେଳନ ପାଇଁ ପୋଲିସ ପ୍ରସ୍ତୁତରେ ଲାଗିଥିବା ବେଳେ ରମାଙ୍କ ଇସାରାରେ ରାଜଧାନୀରେ ଗଡ଼ିଥିଲା ମୁଣ୍ଡ । ସଫେଇ ସଂଘ ନେତା ସହଦେବ ନାୟକଙ୍କୁ ବିଚ୍ ରାସ୍ତାରେ ବିଭତ୍ସ ଭାବେ କରାଯାଇଥିଲା ହତ୍ୟା । ଦୁଇଟି ଗାଡ଼ିରେ ଆଗ ପଛ ହୋଇ ଧାରୁଆ ଅସ୍ତ୍ରରେ ଗଣ୍ଡି ମୁଣ୍ଡ ଅଲଗା କରିଦେଇଥିଲେ ଦୁର୍ବୃତ୍ତ ।

ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାଡ । ପୂର୍ବ ଶତ୍ରୁତା, ନିଶା କାରବାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ ।  ଧଉଳି ଥାନା ଅନ୍ତର୍ଗତ ଦୟାନଦୀ କୂଳରେ ଅଭିଯୁକ୍ତ ଅପରାଧ ଘଟାଇବା ପରେ ଫିଙ୍ଗି ଦେଇଥିଲେ ଧାରୁଆ ଅସ୍ତ୍ର । ହତ୍ୟାର ୨୪ ଘଣ୍ଟା ମଧ୍ୟରେ ୫ ଅଭିଯୁକ୍ତଙ୍କୁ ଧରିଥିଲା ପୋଲିସ । ପରେ ଅନ୍ୟ ଜଣଙ୍କୁ କାବୁ କରିଥିବା ବେଳେ ଆଜି ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଛନ୍ତି ମୁଖ୍ୟ ଅଭିଯୁକ୍ତ ରମା ନାୟକ । ରମାଙ୍କ ପରିବାର ଲୋକେ ଗିରଫଦାରୀକୁ ଗ୍ରହଣ କରୁ ନଥିଲେ ମଧ୍ୟ ମୁଖ୍ୟ ଖଳନାୟିକାଙ୍କୁ କୋର୍ଟଚାଲାଣ କରାଯାଇଥିବା କହିଛନ୍ତି ଡିସିପି ପିନାକ ମିଶ୍ର ।

ସେପଟେ ସ୍ୱାମୀଙ୍କୁ ନ୍ୟାୟ ଦାବିରେ ବାରମ୍ବାର ଧାରଣାରେ ବସିଥିବା ସହଦେବଙ୍କ ପତ୍ନୀ ଆଜି ନନ୍ଦିଘୋଷ ଟିଭି କ୍ୟାମେରା ଆଗରେ ଷଡଯନ୍ତ୍ରର ଛାତିଥରା କାହାଣୀ ବୟାନ କରିଛନ୍ତି । ବସ୍ତିରେ ଚାଲୁଥିବା ନିଶା କାରବାରକୁ ବିରୋଧ କରିବାରୁ ତାଙ୍କ ସ୍ୱାମୀଙ୍କ ମୁଣ୍ଡ ଗଡି ଥିବା ସେ କହିଛନ୍ତି । କେବଳ ରମା ନୁହେଁ, ତାଙ୍କ ପରିବାରର ଅନ୍ୟତମ ଅଭିଯୁକ୍ତଙ୍କୁ ଗିରଫ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସହଦେବଙ୍କ ପତ୍ନୀ । ସ୍ପେଶାଲ ସ୍କ୍ବାଡ ଓ ମଞ୍ଚେଶ୍ୱର ଥାନା ପୋଲିସର ଆକ୍ସନ ଓ ତଦନ୍ତ ପ୍ରକ୍ରିୟାକୁ ସାଧୁବାଦ ଜଣାଇଛନ୍ତି ଭୁବନେଶ୍ୱର ଡିସିପି । ଜେରା ବେଳେ ସୁପାରୀ କଥା ସାମ୍ନାକୁ ଆସିଛି । ଅନ୍ୟ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ଧରିବା ସହ ଶୀଘ୍ର ଚାର୍ଜସିଟ ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱ ଦେବାକୁ ଡିସିପି କହିଛନ୍ତି ।

ବସ୍ତି ଭିତରେ ନିଶା କାରବାର ନେଇ ମିଳିଛି ପ୍ରମାଣ । ସରକାରୀ ଜମିରେ ଅଭିଯୁକ୍ତମାନେ କରିଥିବା ଘର ଭାଙ୍ଗିବା ନେଇ ବିଡିଏକୁ ଅନୁମତି ମଗାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ଜଣାପଡିଛି ।